fbpx

ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲା ଗଞ୍ଜାମ: ହିଞ୍ଜିଳି ଦେଶର ଶ୍ରେଷ୍ଠ ପଞ୍ଚାୟତ, ତାଲିକା ପ୍ରକାଶ କଲା କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କ୍ରମାଗତ ଭାବେ ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବାରେ ଲାଗିଛି । ଗତ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା ଭାରତବର୍ଷର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଥିଲା । ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆସିକା ଥାନା ଆଇଆଇସି ଟ୍ରଫି ଗ୍ରହଣ କରିଥିଲେ । ୨୦୨୨ର ବାର୍ଷିକ ରାଙ୍କିଂରେ ଆସିକା ପୋଲିସ ଷ୍ଟେସନ ଦେଶରେ ଟପ ସ୍ଥାନରେ ରହିଥିଲା ।

ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁଣି ଥରେ ଜାତୀୟସ୍ତରରେ ନିଜର ଚମକ ଦେଖାଇଛି । ଗଞ୍ଜାମ ଜିଲ୍ଲାକୁ ଜାତୀୟ ସ୍ତରରେ ୬ଟି ଶ୍ରେଷ୍ଠ ପୁରସ୍କାର ମିଳିଛି । ଦେଶର ସମସ୍ତ ବ୍ଲକକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ କ୍ଷେତ୍ର ହିଞ୍ଜିଳି ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତର ମାନ୍ୟତା ଲାଭ କରିଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାରର ୯ଟି ବିଭାଗରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି ।

ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର, ହିଞ୍ଜିଳିକୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର, ହିଞ୍ଜିଳି ବ୍ଲକ କଞ୍ଚୁରୁ ପଞ୍ଚାୟତକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ପୁରସ୍କାର, ଶାସନ ଆମ୍ବଗାଁକୁ ଦ୍ୱିତୀୟ ଶ୍ରେଷ୍ଠ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ପୁରସ୍କାର, ଭଞ୍ଜନଗର ବ୍ଲକ କୁଲାଡ଼କୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର, ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଉର୍ଜା ସ୍ୱରାଜ ବିକାଶ ପଞ୍ଚାୟତ ପୁରସ୍କାର ଭାବେ ଘୋଷଣା କରାଯାଇଛି । ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିବେ ।

Get real time updates directly on you device, subscribe now.