fbpx

ରାଜନୀତିରେ ଯୋଗଦେବେ କି ଅଦାନୀ: ଆରମ୍ଭ ହେଲା ଜୋରଦାର ଚର୍ଚ୍ଚା, ଜାଣନ୍ତୁ ଏନେଇ କ’ଣ କହିଲେ ଗୌତମ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଧନୀ ବ୍ୟକ୍ତି ଗୌତମ ଅଦାନୀ ରାଜନୀତିରେ ଏଣ୍ଟ୍ରି ମାରିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଛି । ଅଦାନୀ ପରିବାରର କୌଣସି ସଦସ୍ୟଙ୍କୁ ରାଜ୍ୟସଭା ପଠାଯିବ ବୋଲି କିଛି ମହଲରେ ଆଲୋଚନା ମଧ୍ୟ ହେଉଛି । ତେବେ ଏନେଇ ଅଦାନୀ ଗ୍ରୁପ ପକ୍ଷରୁ ଏକ ଷ୍ଟେଟମେଣ୍ଟ ଜାରି କରାଯାଇଛି । ଅଦାନୀ ପରିବାର ପକ୍ଷରୁ ଏହି ଗୁଜବକୁ ଖଣ୍ଡନ କରାଯାଇଥିବା ଜଣାପଡ଼ିଛି ।

ବିଗତ କିଛିଦିନ ହେଲା ଅଦାନୀ ନିଜର ସମ୍ପତ୍ତି ବୃଦ୍ଧିକୁ ନେଇ ଖବରର ଶିରୋନାମା ପାଲଟିଥିଲେ । ତେବେ ବର୍ତ୍ତମାନ ଅଦାନୀ ରାଜନୀତିରେ ଏଣ୍ଟ୍ରି ମାରିବା ନେଇ ଚର୍ଚ୍ଚାରେ ରହିଛନ୍ତି । ଗୌତମ କିମ୍ବା ତାଙ୍କ ପତ୍ନୀ ଡା. ପ୍ରୀତି ଅଦାନୀ ରାଜ୍ୟସଭା ସାଂସଦ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଗୁଜବକୁ ଅଦାନୀ ଗ୍ରୁପ ପକ୍ଷରୁ ଅସ୍ୱୀକାର କରାଯିବା ସହ ଅଦାନୀ ପରିବାରର କୌଣସି ସଦସ୍ୟଙ୍କ ରାଜନୀତିରେ ଆଗ୍ରହ ନାହିଁ ବୋଲି କୁହାଯାଇଛି ।

ନିଜର ପ୍ରତିକ୍ରିୟାରେ ଅଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି ଯେ, ଅଦାନୀ ପରିବାର ରାଜନୀତିରେ ଯୋଗଦେବା ନେଇ ହେଉଥିବା ଗୁଜବ ବିଷୟରେ ଆମେ ଅବଗତ ଅଛୁ । ଏହା ସମ୍ପୂର୍ଣ୍ଣ ଭୁଲ୍ ଖବର । କିଛି ଲୋକ ମିଡ଼ିଆ ରିପୋର୍ଟ ମାଧ୍ୟମରେ ଆମର ନାମ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ଗୌତମ, ଡା. ପ୍ରୀତି କିମ୍ବା ଅଦାନୀ ପରିବାର ଅନ୍ୟ କୌଣସି ସଦସ୍ୟ ରାଜନୀତିରେ ଯୋଗ ଦେବାର କୌଣସି ସମ୍ଭାବନା ନାହିଁ । ସୂଚନାଯୋଗ୍ୟ ଯେ, ଅଦାନୀ ବର୍ତ୍ତମାନ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୫ ନମ୍ବରରେ ରହିଛନ୍ତି । ଗତ କିଛିବର୍ଷ ଧରି ଅଦାନୀଙ୍କ ମୋଟ ସମ୍ପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.