fbpx

ଗୀତା ପ୍ରେସ ଗୋରଖପୁରକୁ ମିଳିବ ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୁନିଆର ସର୍ବବୃହତ ତଥା ପ୍ରତିଷ୍ଠିତ ପ୍ରକାଶକମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଗୀତା ପ୍ରେସ ଗୋରଖପୁର । ଏହି ପ୍ରେସକୁ ମିଳିବାକୁ ଯାଉଛି ଏକ ସର୍ବବୃହତ ଉପହାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଚାର-ବିମର୍ଶ ପରେ ଗୀତା ପ୍ରେସ ଗୋରଖପୁରକୁ ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ଚୟନ କରାଯାଇଛି । ସର୍ବସମ୍ମତି ପରେ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହି ଚୟନକୁ ନେଇ ଘୋଷଣା ହୋଇସାରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଶାନ୍ତି ପୁରସ୍କାରକୁ ନେଇ ଏକ ବୈଠକ ହୋଇଥିଲା । ତେବେ ଆଲୋଚନାରେ ସର୍ବସମ୍ମତି କ୍ରମେ ଗୀତା ପ୍ରେସ ଗୋରଖପୁରକୁ ଏହି ପୁରସ୍କାର ପ୍ରଦାନ କରିବା ପାଇଁ ଚୟନ କରାଯାଇଛି । ୨୦୨୧ ବର୍ଷ ପାଇଁ ଏହି ପ୍ରକାଶକକୁ ପୁରସ୍କୃତ କରାଯିବ । ସାମାଜିକ, ଆର୍ଥିକ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଗୀତା ପ୍ରେକୁ ଏହି ପୁରସ୍କାରର ଯୋଗ୍ୟ ବୋଲି ସମ୍ମତି ପ୍ରଦାନ କରିଛନ୍ତି ବୈଠକର ସଦସ୍ୟ । ୧୯୨୩ ମସିହାରେ ସ୍ଥାପିତ ଗୀତା ପ୍ରେସରେ ୧୪ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ ପାଇଛି । ଏହି ପୁସ୍ତକ ଗୁଡିକରେ ୧୬.୨୧ କୋଟି ଶ୍ରୀମଦ୍ଭାଗବତଗୀତା ସାମିଲ ରହିଛି ।

ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ପ୍ରତିଷ୍ଠିତ ବାର୍ଷିକ ପୁରସ୍କାର ହେଉଛି ଗାନ୍ଧୀ ଶାନ୍ତି ପୁରସ୍କାର । ୧୯୯୫ ମସିହା ପରଠାରୁ ଏହା ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଉଛି । ଏଥିରେ ପୁରସ୍କାର ରୂପରେ ୧ କୋଟି ଟଙ୍କା ରାଶି ସହିତ ଏକ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଏ । ପୂର୍ବରୁ ଇସ୍ରୋ, ରାମକୃଷ୍ଣ ମିଶନ୍, ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କ, ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ, ଅକ୍ଷୟ ପାତ୍ର, ବେଙ୍ଗଲୁରୁ, ଏକଲ ଅଭିଯାନ ଟ୍ରଷ୍ଟ, ଭାରତ ଏବଂ ସୁଲଭ ଇଣ୍ଟରନେସନାଲଳ ନୂଆଦିଲ୍ଲୀ ଭଳି ସଂଗଠନ ଏହି ପୁରସ୍କାରର ଅଧିକାରୀ ହୋଇଛନ୍ତି ।

Get real time updates directly on you device, subscribe now.