fbpx
BJD SKY
BJD SKY

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ‘Genetic Early Warning System’: ଏଣିକି ମହାମାରୀ ଆସିବା ପୂର୍ବରୁ ବିଶ୍ୱବାସୀଙ୍କୁ ମିଳିବ ସୂଚନା

BJD

ନୂଆଦିଲ୍ଲୀ: କରୋନା ମହାମାରୀ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜ ମାୟାଜାଲରେ ବାନ୍ଧି ରଖିଥିଲା । କୋଭିଡ-୧୯ର ଅଚାନକ ଆଗମନ କାରଣରୁ ବିଭିନ୍ନ ଦେଶରେ ରୋଗୀଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ମିଳିପାରି ନଥିଲା । ଫଳରେ ଅକାଳରେ ଲକ୍ଷ ଲକ୍ଷ ଲୋକଙ୍କ ଶବ ଗଡ଼ିବାରେ ଲାଗିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ଦେଶରେ ମୃତଦେହକୁ ଦାହ କରିବା ପାଇଁ ସ୍ଥାନର ଅଭାବ ପଡ଼ିଥିଲା । ତେବେ ଏଣିକି ମହାମାରୀ ଆସିବା ପୂର୍ବରୁ ଆଗୁଆ ସୂଚନା ମିଳିପାରିବ ।

ସୂଚନା ମୁତାବକ, ଇଂଲଣ୍ଡର ବୈଜ୍ଞାନିକମାନେ ଫ୍ୟୁଚର ପାଣ୍ଡେମିକ ପାଇଁ ‘ଜେନେଟିକ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ’ ପ୍ରସ୍ତୁତ କରିଛନ୍ତି । ମହାମାରୀକୁ ନେଇ ଚେତାବନୀ ମିଳିବା କ୍ଷଣି ଭ୍ୟାକ୍ସିନ ଷ୍ଟକ କରାଯିବା ସହିତ ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟସେବା ନେଇ ପ୍ରସ୍ତୁତି ଆରମ୍ଭ କରାଯିବ । ଏହି ସିଷ୍ଟମ ସଠିକ୍ ତଥ୍ୟ ପ୍ରଦାନ କରିବା ସହିତ କେଉଁ ରେସ୍ପିରେଟୋରୀ ଭାଇରସ ଭୟଙ୍କର ରୂପ ନେବ ତାହା ଜଣାପଡ଼ିବ । କେମ୍ବ୍ରିଶାୟର ସ୍ଥିତ ୱେଲକମ ସାଙ୍ଗର ଇନଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କର ଟିମ ଏହି ଆର୍ଲି ୱାର୍ଣ୍ଣିଂ ସିଷ୍ଟମ ପ୍ରସ୍ତୁତ କରିଛି ।

ଏହି ସେଣ୍ଟର ଜେନେଟିକ ରିସର୍ଚ୍ଚ ଓ ଡିଏନଏସ ସିକ୍ୱେନ୍ସିଂ କରୁଥିବା ବିଶ୍ୱର ସର୍ବଶ୍ରେଷ୍ଠ କେନ୍ଦ୍ର । ଏବେ ଏହି ସଂସ୍ଥାର ବୈଜ୍ଞାନିକମାନେ ଶସ୍ତା ତଥା ସହଜସାଧ୍ୟ ଟେକନିକର ବିକାଶ କରୁଛନ୍ତି । ବିଶ୍ୱବାସୀଙ୍କୁ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ସିଷ୍ଟମ ପ୍ରସ୍ତୁତ କରାଯାଉଛି । ଏହି ସିଷ୍ଟମ ମାଧ୍ୟମରେ ସାରା ଦୁନିଆରେ ଭାଇରସ ଉପରେ ନଜର ରଖାଯାଇପାରିବ । ସେଥିମଧ୍ୟରେ ଇନଫ୍ଲୁଏଞ୍ଜା ଭାଇରସ, ରେସ୍ପିରେଟୋରୀ ସିନଶିୟଲ ଭାଇରସ, କରୋନା ଭାଇରସ ଓ ଅନ୍ୟ ପୁରୁଣା ପାଥୋଜନ ସାମିଲ ରହିଛି ।

ରେସ୍ପିରେଟୋରୀ ଓ ମାଇକ୍ରୋବାୟୋମ୍ ଇନିସିଏଟିଭର ସନ୍ଧାନ କରିବା ହେଉଛି ଏହି ସିଷ୍ଟମକୁ ତିଆରି କରିଥିବା ପ୍ରୋଜେକ୍ଟର ଉଦ୍ଦେଶ୍ୟ । ଡିଏନଏ ସିକ୍ୱେନ୍ସିଂ ଟେକ୍ନୋଲୋଜି ତିଆରି କରି ଭାଇରଲ, ବ୍ୟାକ୍ଟେରିୟଲ ଓ ଫଙ୍ଗଲ ପ୍ରଜାତିଙ୍କ ବ୍ୟାପିବା ଓ ଭବିଷ୍ୟତରେ ଆସିବାକୁ ଥିବା ମହାମାରୀର ସନ୍ଧାନ କରାଯାଇ ପାରିବ । ସେଥିପାଇଁ ରୋଗୀଙ୍କ ନାକରୁ ନିଆଯାଇଥିବା ସାମ୍ପୂଲ ହିଁ ମୁଖ୍ୟ ଆଧାର ହେବ ।

ଏହି ସିଷ୍ଟମକୁ ତିଆରି କରିଥିବା ମୁଖ୍ୟ ବୈଜ୍ଞାନିକ ଏବାନ ହାରିସନ କହିଛନ୍ତି, ବ୍ରିଟେନ ଜିନୋମିକ ସର୍ଭେଲାନ୍ସ କ୍ଷେତ୍ରରେ ସାରା ବିଶ୍ୱରେ ଆଗରେ ରହିଛି । ସାରା ଦୁନିଆରେ ଯେତେମାତ୍ରାରେ କରୋନାର ଜିନୋମ ସିକ୍ୱେନ୍ସିଂ ହୋଇଥିଲା, ତା’ର ୨୦ ପ୍ରତିଶତ କେବଳ ବ୍ରିଟେନରେ ହୋଇଥିଲା । ଆମେ ତିଆରି କରିଥିବା ଟେକନିକ କୋଭିଡ-୧୯ର ମନିଟରିଂ କରିବା କ୍ଷେତ୍ରରେ ବହୁତ ସହାୟତା କରିଥିଲା । ଏଥିସହିତ ସାରା ଦୁନିଆରେ କରୋନା ବିରୋଧରେ ଲଢ଼ିବା ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଗତ ୨୦ ବର୍ଷ ମଧ୍ୟରେ କରୋନା ଅଲଗା ଅଲଗା ରୂପରେ ୩ ଥର ସାମ୍ନାକୁ ଆସିଥିଲା । ଆଗକୁ ବହୁ ଭାରିଆଣ୍ଟର ସଂକ୍ରମଣ ଓ ତା’ର ନୂଆ ଭାରିଆଣ୍ଟକୁ ନେଇ ଭବିଷ୍ୟବାଣୀ କରିହେବ ।

Get real time updates directly on you device, subscribe now.