fbpx

ହକି ବିଶ୍ୱକପ୍ ମହାଲଢ଼େଇ: ଜର୍ମାନୀ-ବେଲଜିୟମ ମଧ୍ୟରେ ହେବ ଫାଇନାଲ ମୁକାବିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ହକି ବିଶ୍ୱକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଥିଲା ଜର୍ମାନୀ । ଏହା ମଧ୍ୟରେ ଦ୍ୱିତୀୟ ସେମି ମୁକାବିଲାରେ ନେଦରଲ୍ୟାଣ୍ଡସକୁ ପେନାଲ୍ଟି ଶୁଟ୍ ଆଉଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍ । ଆସନ୍ତା ୨୯ ତାରିଖରେ ଟାଇଟଲ ହାସଲ ପାଇଁ ଏହି ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ ମହାଲଢ଼େଇ ଦେଖିବାକୁ ମିଳିବ ।

ଆଜିର ଦ୍ୱିତୀୟ ସେମିଫାଇନାଲରେ ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ରେ ସମାନ ସ୍ତରରେ ରହିଥିଲା । ଫଳରେ ପେନାଲ୍ଟି ଶୁଟଆଉଟରେ ବେଲଜିୟମ ୩-୨ରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ଏହାଫଳରେ ଆସନ୍ତା ୨୯ ତାରିଖ ରାତି ୭ଟା ସମୟରେ ଦୁଇ ଦଳ ଜର୍ମାନୀ-ବେଲଜିୟମ ଫାଇନାଲରେ ମୁହିାଁମୁହିଁ ହେବେ । ଏହି ମ୍ୟାଚର ବିଜେତା ଚଳିତ ହକି ବିଶ୍ୱକପର ବିଜେତା ଭାବେ ଘୋଷିତ ହେବ ।

ସୂଚନାଯୋଗ୍ୟ ଯେ, ୨୦୧୮ରେ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ସରକାର ହକି ବିଶ୍ୱକପ ଆୟୋଜନ କରୁଛନ୍ତି । ରାଜ୍ୟର ଭୁବନେଶ୍ୱର ଓ ରାଉରକେଲାର ଦୁଇ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଆୟୋଜିତ ହୋଇଥିଲା । ହକି ମ୍ୟାଚ ସମୟରେ ଯେପରି କୌଣସି ସମସ୍ୟା ନ ଉପୁଜେ, ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଶହ ଶହ କୋଟି ଅର୍ଥ ବ୍ୟୟ କରିଛନ୍ତି । ହକି ବିଶ୍ୱକପ ଆୟୋଜନର ମାସ ମାସ ସମୟ ପୂର୍ବରୁ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସହିତ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା ।

Get real time updates directly on you device, subscribe now.