fbpx

ଘୁମୁସରର “ବାଘ” କଳାକାରଙ୍କୁ ମିଳିଲା ସଂଗୀତ ନାଟକ ଏକାଡେମୀ ସମ୍ମାନ; ଜାଣନ୍ତୁ ସେ କିଏ…

ଭଞ୍ଜନଗର(ଓଡ଼ିଶା ଭାସ୍କର): ଜୀବେ ଦୟା; ଜୀବ ସୁରକ୍ଷା… ଏହି ଲକ୍ଷ୍ୟ ଓ ବାର୍ତ୍ତାକୁ ପାଥେୟ କରି ସେ ବୋଳି ହେଉଛନ୍ତି ରଙ୍ଗ। ଡେଇଁ ଡେଇଁ ପ୍ରଚାର କରୁଛନ୍ତି ସଂସ୍କୃତି-ପରମ୍ପରା- ଐତିହ୍ଯର ଗାଥା। ପ୍ରକାରାନ୍ତରେ ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ ଆଉ ସାତ ଦରିଆ ପାରି ସେ ତିଆରି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ: ଘୁମୁସରର ବାଘ ବା ବାଘୁଆ କଳାକାର। ତାଙ୍କର ଅବଦାନ ଓ ସୁକିର୍ତ୍ତୀ ଲାଗି ମିଳିଛି ରାଶି ରାଶି ସମ୍ମାନ ଏବଂ ପୁରସ୍କାର। ଏହି କ୍ରମରେ ସେ ପୁଣି ପାଇଛନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର।

ଲୋକନୃତ୍ୟର ଏହି ନିଆରା ବିନ୍ଧାଣୀ ଜଣଙ୍କ ହେଉଛନ୍ତି ନାରାୟଣ ମହାରଣା। ପଶୁମୁଖା ନୃତ୍ୟକୁ ଦେଶ-ଦେଶାନ୍ତରରେ ପରିଚିତ କରାଇବା ସହ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ। ଦୀର୍ଘ ୨୫ ବର୍ଷରୁ ଅଧିକ ନିରବଚ୍ଛିନ୍ନ ସାଧନା ମଧ୍ୟରେ ଶ୍ରୀ ମହାରଣା କଳାର ବିଭିନ୍ନ ଦିଗରେ ବେଶ ପୋଖତ। ବୃକ୍ଷ ହିଁ ଜୀବନ ବାର୍ତ୍ତା ଦେଇ ସେ ଗଢିଥିଲେ ଜଗତର ନାଥ ଜଗନ୍ନାଥଙ୍କ ମୂର୍ତ୍ତି ଆଉ ସେଥିରେ ଶୀର୍ଷକ ରଖିଥିଲେ “ଗଛ ନାହିଁ ତ ମୁଁ ନାହିଁ”…ଯାହା ବିଶ୍ୱର ବିଭିନ୍ନ ସ୍ଥାନରେ ଉଚ୍ଚ ପ୍ରଶଂସିତ ହୋଇଛି। ସେହିପରି ତୂଳୀଟିଏ ଧରିନେଲେ ଶିଳ୍ପୀ ପ୍ରାଣ ନାରାୟଣଙ୍କ ଯାଦୁଗରୀ ହାତରୁ ସୃଷ୍ଟି ହୁଏ ଜୀବନ୍ତ ଦୃଶ୍ୟ। ସେହିପରି ସାହିତ୍ୟ ସାଧନାରେ ନାରାୟଣ ରଚିପାରନ୍ତି ସୁନ୍ଦର କବିତା ମାଳ।

ଏହି ଖ୍ୟାତନାମା ଶିଳ୍ପୀଙ୍କୁ ସମ୍ମାନ ଜଣାଇ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ “ଲୋକନୃତ୍ୟ” ବିଭାଗରେ ୨୦୨୦ ବର୍ଷ ଲାଗି ପୁରସ୍କାର ପ୍ରଦାନ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପବିତ୍ର ଭଞ୍ଜଭୂମି ଘୁମୁସର ଅଞ୍ଚଳ ତଥା ଗଞ୍ଜାମ ଜିଲ୍ଲାର ଆହୁରି ୨ ଜଣ ସୁଯୋଗ୍ୟ ସନ୍ତାନ ମଧ୍ୟ ଚଳିତ ବର୍ଷ ଏକାଡେମୀ ସମ୍ମାନ ଲାଭ କରିଛନ୍ତି। ଗାଙ୍ଗପୁର ଅଞ୍ଚଳର ସ୍ଵନାମଧନ୍ୟ ଅଭିନେତା ବିଜୟ କୁମାର ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ଗଜେନ୍ଦ୍ର ପଣ୍ଡାଙ୍କ ସମେତ ଅଭିଭକ୍ତ ଗଞ୍ଜାମ ଗଜପତି ଜିଲ୍ଲାର ରଘୁନାଥ ପାତ୍ର ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଏକାଡେମୀ ସମ୍ମାନ ଲାଭ କରିଛନ୍ତି। ସମସ୍ତ କଳାକାର ତଥ ଶିଳ୍ପୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

Get real time updates directly on you device, subscribe now.