fbpx

ଦ୍ରୁତ ଗତିରେ ତରଳୁଛି ଗ୍ଲାସିଅର: ୧୭୦ରୁ ୨୪୦ କୋଟି ପିଇବା ପାଣିର ଘୋର ଅଭାବର ସମ୍ମୁଖୀନ ହେବେ

ନୂଆଦିଲ୍ଲୀ: ଆଗାମୀ ୨୭ ବର୍ଷ ଭିତରେ ଅର୍ଥାତ ୨୦୫୦ବେଳକୁ ଦେଶର ମୁଖ୍ୟ ନଦୀ ନାଳ ଶୁଖିଯିବ । ଯାହାଦ୍ୱାରା ଦକ୍ଷିଣ ଏସିଆର ୧୭୦ରୁ ୨୪୦ କୋଟି ଲୋକ ପିଇବା ପାଣିର ଘୋର ଅଭାବର ସାମ୍ନା କରିବେ । ଏହାର ମୁଖ୍ୟ କାରଣ ହେଲା ହିମାଳୟର ଗ୍ଲାସିଅର ଦ୍ରୁତ ଗତିରେ ତରଳୁଛି । ଭାରତ, ଚୀନ, ପାକିସ୍ତାନର ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ନଦୀର ଜଳସ୍ତର ବହୁତ ତଳକୁ ଖସିଯିବ । ଫଳରେ ଏହି ଅଞ୍ଚଳରେ ଲୋକେ ଘୋର ଜଳ ସଂକଟର ସାମ୍ନା କରିବେ । ଏନେଇ ଚେତାବନୀ ଦେଇଛନ୍ତି ମିଳିତ ଜାତିସଂଘର ଏକ ଭୟ ଉଦ୍ରେକକାରୀ ରିପୋର୍ଟ ।

ପୃଥିବୀ ପାଇଁ ଗ୍ଲାସିଅର ଅତି ଗୁରୁତ୍ୱପୂର୍ଣ୍ଣ । ମାତ୍ର ୧୦ ପ୍ରତିଶତ ଅଞ୍ଚଳରେ ଏବେ ଗ୍ଲାସିଅର ଅଛି । କିନ୍ତୁ ବିଶ୍ୱ ତାପାୟନ ପାଇଁ ଏହା ଏବେ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଆଣ୍ଟାର୍କଟିକାରୁ ପ୍ରତି ବର୍ଷ ୧୫ ଶହ କୋଟି ଟନ୍ ବରଫ ତରଳିବାରେ ଲାଗିଛି । ଗ୍ରୀନଲାଣ୍ଡର ୨୭ ଶହ କୋଟି ଟନ୍ ବରଫ ପ୍ରତିବର୍ଷ ନଷ୍ଟ ହେବାରେ ଲାଗିଛି । ଏହି ଦୁଇ ଅଞ୍ଚଳ ଅପେକ୍ଷା ହିମାଳୟରୁ ଅଧିକ ପରିମାଣର ବରଫ ତରଳିବାରେ ଲାଗିଛି । ହିମାଳୟରୁ ୧୦ଟି ପ୍ରମୁଖ ନଦୀ ବୋହିଯାଉଛନ୍ତି । ଏହାର ପାଣିରେ ୧୩୦ କୋଟି ଲୋକ ଉପକୃତ ହେଉଛନ୍ତି । ବିଶେଷକରି ପାନୀୟ ଜଳ ଭାବେ ଏହି ନଦୀ ଗୁଡିକର ଜଳକୁ ବ୍ୟବହାର କରୁଛନ୍ତି । ତେବେ ହିମାଳୟ ଗ୍ଲାସିଅର ତରଳିବା ଦ୍ୱାରା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ନଦୀ ବିଶେଷ ଭାବେ ପ୍ରଭାବିତ ହେବେ । ଚୀନ ପାକିସ୍ତାନରେ ଗ୍ଲାସିଅର ତରଳିବା ଦ୍ୱାରା ଭୟଙ୍କର ବନ୍ୟା ଆସିପାରେ ବୋଲି କହିଛି ଜାତିସଂଘର ଏହି ରିପୋର୍ଟ ।

Get real time updates directly on you device, subscribe now.