fbpx

ସଫଳତାର ସହ ଏଫ୍‌ଆଇଏଚ୍ ହକି ବିଶ୍ୱକପ୍ ଆୟୋଜନ ନେଇ ପ୍ରଶଂସା: ହକି ଇଣ୍ଡିଆକୁ ଶ୍ରେଷ୍ଠ ସାଂଗଠନିକ ପୁରସ୍କାର

ନୂଆଦିଲ୍ଲୀ: ହକି ଇଣ୍ଡିଆ ଚଳିତବର୍ଷ ଜାନୁଆରୀ ମାସରେ ସଫଳତାର ସହିତ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିଥିବାରୁ ଏସିଆନ୍ ହକି ଫେଡେରେସନ୍ (ଏଏଚ୍‌ଏଫ୍‌) ପକ୍ଷରୁ ଶ୍ରେଷ୍ଠ ସାଂଗଠନିକ ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା। ମାତ୍ର ଚଳିତ ବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ ହକି ବିଶ୍ୱକପ୍ ଆୟୋଜନ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ମୁଖ୍ୟତଃ ରାଉରକେଲାରେ ନବ ନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍ ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହା ବିଶ୍ୱର ସର୍ବବୃହତ୍ତ ହକି ଷ୍ଟାଡିୟମ୍ ମାନ୍ୟତା ପାଇଛି। କାରଣ ଏହି ଷ୍ଟାଡିୟମ୍‌ ପରିସରରେ ଅଲିମ୍ପିକ୍ ଢ଼ାଞ୍ଚାର ବିଶ୍ୱକପ୍‌ ଭିଲେଜ୍ ନିର୍ମାଣ ହୋଇଛି। ଏଠାରେ ସମସ୍ତ ଖେଳାଳି ଓ କର୍ମକର୍ତ୍ତା ରହିବା ପାଇଁ ବିଶ୍ୱସ୍ତରୀୟ ବ୍ୟବସ୍ଥା ରହିଛି। ଏପରିକି ଏଥିରେ ଅଲିମ୍ପିକ୍‌, ରାଜ୍ୟ ଗୋଷ୍ଠୀ କ୍ରୀଡା ଓ ଏସିଆନ୍ ଗେମ୍ସ ପରି ଅନୁଭୂତି ଖେଳାଳିମାନେ ପାଇଥବଲେ।

ସେହିପରି ବିଶ୍ୱକପ୍‌ର ମାସ୍କଟ ଓଲି ମଧ୍ୟ ନିଆରା ଦୃଷ୍ଟି ଆକର୍ଷଣ କରିଥିବା ବେଳେ ହକି ଇଣ୍ଡିଆକୁ ଏହି ସମ୍ମାନ ଜନକ ପୁରସ୍କାର ମିଳିଛି । ଏସିଆନ୍ ହକି ଫେଡେରେସନର କଂଗ୍ରେସ ଦକ୍ଷିଣ କୋରିଆର ମୁଙ୍ଗୟୋଙ୍ଗୋଠାରେ ଅନୁଷ୍ଠିତ ହୋଇଥିବା ବେଳେ ହକି ଇଣ୍ଡିଆ ମହାସଚିବ ଭୋଳାନାଥ ସିଂ ବିଶ୍ୱକପ୍ ସଫଳ ଆୟୋଜନ ପାଇଁ ଶ୍ରେଷ୍ଠ ସାଂଗଠନିକ ପୁରସ୍କାର ଗ୍ରହଣ କରିଛନ୍ତି । ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି ଯେ, ଗତ ବିଶ୍ୱକପ୍ ଆୟୋଜନ ପାଇଁ ଏସିଆନ୍‌ ହକି ଫେଡେରେସନ ଏହି ପୁରସ୍କାର ପ୍ରଦାନ କରିଥିବାରୁ ଆମେ ବିଶେଷ କୃତଜ୍ଞତା ଜଣାଉଛୁ । କାରଣ ହକିର ଉନ୍ନତି ସହିତ ବିଶ୍ୱକପ୍ ଆୟୋଜନ ଉପରେ ହକି ଇଣ୍ଡିଆ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି ।

ବିଶ୍ୱକପ୍‌ରେ ଅଂଶ ଗ୍ରହଣକାରୀ ସମସ୍ତ ଦେଶର ଖେଳାଳି, କର୍ମକର୍ତ୍ତା ଓ ଦର୍ଶକମାନେ ଏକ ସ୍ୱତନ୍ତ୍ର ଅନୁଭୂତି ପାଇଥିବା ଆମ ପାଇଁ ସବୁଠାରୁ ଖୁସିର ବିଷୟ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ସମର୍ଥନ ସହିତ ଅନ୍ୟ ସମସ୍ତ ସହଯୋଗୀଙ୍କ ମହତ ଅବଦାନ ଯୋଗୁଁ ଚଳିତବର୍ଷର ବିଶ୍ୱକପ୍‌ର ସଫଳତାର ସହ ଆୟୋଜିତ ହୋଇପାରିଥିଲା ।

Get real time updates directly on you device, subscribe now.