fbpx
BJD SKY
BJD SKY

ବ୍ୟାଙ୍କ ଗ୍ରାହକଙ୍କ ପାଇଁ RBIର ବଡ଼ ପଦକ୍ଷେପ: ସୂଚନା ଦେଲେ ଶକ୍ତିକାନ୍ତ ଦାସ

BJD

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ଭଲ ଖବର ଆସିଛି । ବ୍ୟାଙ୍କ ଗ୍ରାହକଙ୍କର ଅନେକ ସମସ୍ୟା ରହିଛି । ଗ୍ରାହକଙ୍କର ଅଭିଯୋଗର ମୂଳ କାରଣକୁ ଚିହ୍ନଟ କରି ତାହାକୁ ଶୀଘ୍ର ସମାଧାନ କରିବା ଦରକାର । ଗ୍ରାହକଙ୍କର ଅଭିଯୋଗର ସମାଧାନ ନିରପେକ୍ଷ ଓ ତ୍ୱରିତ ଢଙ୍ଗରେ ହେବା ଦରକାର । ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲୋକପାଳ ଓ ନିୟନ୍ତ୍ରିତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ ଲୋକପାଳଙ୍କ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି, ବର୍ତ୍ତମାନ ଦେଶର ଆର୍ଥିକ କ୍ଷେତ୍ର ବିକାଶ ଓ ରୂପାନ୍ତରିତ ହେଉଛି । ମାତ୍ର ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଦେବା ସେମାନଙ୍କର ସୁରକ୍ଷାର ମୂଳ ସିଦ୍ଧାନ୍ତ ହେବା ଦରକାର । ପାରଦର୍ଶିତା, ଉଚିତ ମୂଲ୍ୟ ନିର୍ଦ୍ଧାରଣ, ସୁବ୍ୟବହାର, କର୍ତ୍ତବ୍ୟପରାୟଣ ବ୍ୟବସାୟିକ ଆଚରଣ, ଉପଭୋକ୍ତା ଡାଟା ସୁରକ୍ଷା ଆଦି ମୁଖ୍ୟ ପ୍ରସଙ୍ଗ ଅଟେ । ଦିନକୁ ଦିନ ନୂଆ ନୂଆ ତରିକାରେ ଠକାମି ହେଉଥିବାରୁ ଏନେଇ ସତର୍କତା ଓ ପ୍ରସ୍ତୁତିର ଆବଶ୍ୟକତା ରହିଛି ।

ଦେଶରେ ବର୍ତ୍ତମାନ ମହଙ୍ଗା ମାଡ଼ ଜାରି ରହିଛି । ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଉଚ୍ଚସ୍ତରରେ ରହିଥିବା ବେଳେ ଏହା ଦେଶର ଅର୍ଥନୀତି ପାଇଁ କ୍ଷତିକାରକ ହୋଇପାରେ । ବର୍ତ୍ତମାନର ଦରଦାମ ହାର ଗତ ୩ଟି ତ୍ରୈୟମାସିକ ମୁଦ୍ରାସ୍ଫୀତି ଧାର୍ଯ୍ୟ ହାରଠାରୁ ଅଧିକ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ଆସନ୍ତା ନଭେମ୍ବର ୨ ତାରିଖରେ ମୁଦ୍ରା ନୀତି କମିଟି (ଏମପିସି)ର ବୈଠକ ଡକାଇଛି । ଗତ ଜାନୁଆରୀରୁ କ୍ରମାଗତ ତିନିଟି ତ୍ରୈୟମାସିକରେ ଖୁଚୁରା ମୁଦ୍ରାସ୍ଫୀତିକୁ ୬ ପ୍ରତିଶତ ଧାର୍ଯ୍ୟ ସ୍ତରରେ ରଖିବାରେ ବିଫଳ ହୋଇଛି ଆରବିଆଇ । ତେଣୁ ଏନେଇ ଆରବିଆଇ ଗଭର୍ଣ୍ଣରଙ୍କ ନେତୃତ୍ୱରେ ଏକ ୬ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ଲକ୍ଷ୍ୟ ପୂରଣର ବିଫଳତାର କାରଣ ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।

Get real time updates directly on you device, subscribe now.