fbpx

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଦର୍ଶକରେ ଭରି ରହିବ ଷ୍ଟାଡିୟମ

AAKASH

ନୂଆଦିଲ୍ଲୀ : ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଅଗଷ୍ଟ ୪ରୁ ଏହି ବହୁପ୍ରତୀକ୍ଷିତ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ହେଲେ ଦର୍ଶକଙ୍କ ପାଇଁ ଖୁସି ଖବର। ଏବେ ଦର୍ଶକରେ କମ୍ପିଉଠିବ ଷ୍ଟାଡିୟମ। ଗତ ମାସରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲାରେ ସୀମିତ ସଂଖ୍ୟାରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଥିଲା। ହେଲେ ଆଗାମୀ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜରେ ଷ୍ଟାଡିୟମ ଦର୍ଶକରେ ପୂରା ଭରି ରହିବ। କାରଣ ବ୍ରିଟିଶ ସରକାର କୋଭିଡ୍-୧୯ ନିୟମରେ ଆହୁରି କୋହଳ ଘୋଷଣା କରିଛନ୍ତି। ଗତ ବର୍ଷ ମାର୍ଚ୍ଚ ପରଠୁ ପ୍ରଥମ ଥର ଇଂଲଣ୍ଡରେ ଜୁଲାଇ ୧୯ରୁ ଷ୍ଟାଡିୟମ ସଂପୂର୍ଣ୍ଣ ଦର୍ଶକରେ ଭରି ରହିବା ଦେଖିବାକୁ ମିଳିବ। ସରକାରଙ୍କ ଏହି ପଦକ୍ଷେପ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରେ ମଧ୍ୟ ଷ୍ଟାଡିୟମରେ ପୂରା ଦର୍ଶକ ରହିବେ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଥିଲେ ଯେ, ଯେବେ ଦେଶରେ ଲକଡାଉନ ପ୍ରତ୍ୟହାର ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବ ତେବେ ଆଇନ କଟକଣା ମାନିବା ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରେ। ଚତୁର୍ଥ ପର୍ଯ୍ୟାୟରେ  ଇନଡୋର ଏବଂ ଆଉଟଡୋରରେ ସମସ୍ତ କଟକଣା ହଟାଇ ଦିଆଯିବ। ନାଇଟ୍ କ୍ଲବ ସହିତ ସମସ୍ତ ବ୍ୟବସାୟିକ ଗତିବିଧି ଖୋଲିବାକୁ ଅନୁମତି ଦିଆଯିବ। ଏଥିସହ ସଙ୍ଗୀତ ସମାରୋହ, ଥିଏଟର ଓ କ୍ରୀଡା ଆୟୋଜନରେ ଦର୍ଶକଙ୍କ ସଂଖ୍ୟା ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରାଯିବ। ଏବେ ଉକ୍ତ ସମସ୍ତ କଟକଣା ଉପରୁ ବ୍ରିଟିଶ ସରକାର ପ୍ରତ୍ୟାହାର କରିଛନ୍ତି।

 

ଇଂଲଣ୍ଡର ଅନୁଭବୀ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ସ୍ଵାଗତ କରିଛନ୍ତି। ସେ କହିଛନ୍ତି, ଅଗଷ୍ଟ ପ୍ରଥମ ସପ୍ତାହରେ ନର୍ଟିଂଘମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟରେ ପୂରା ଷ୍ଟାଡିୟମ ଦର୍ଶକରେ ଭରିଯିବ। ସେ  ଟ୍ଵିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ପୁରା ଷ୍ଟାଡିୟମରେ ଦର୍ଶକ ଭରି ରହିଛନ୍ତି ଏବଂ ବିଜୟ ପରେ ଏହାର ଉତ୍ସବ ପାଳନ କରୁଛନ୍ତି। ବ୍ରଡ ଭିଡିଓ ସହିତ ଲେଖିଛନ୍ତି, ଭାରତ ଓ ଇଂଲଣ୍ଡ ମଧ୍ୟରେ ଟ୍ରେଣ୍ଟ ବ୍ରିଜରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦୃଶ୍ୟ ଠିକ୍ ଏହି ପରି ରହିବ।

Get real time updates directly on you device, subscribe now.