fbpx

ଚାଷୀଙ୍କ ପାଇଁ ଖୁସି ଖବର: ଚଳିତ ଖରିଫ୍‌‌ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଚାଉଳ କିଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ଖରିଫ୍‌‌ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଉଷୁନା ଚାଉଳ ଏଫ.ସି.ଆଇ ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ମନ୍ତ୍ରୀ ଗୋଏଲ ଏହି ପଦକ୍ଷେପ ନେଇଛନ୍ତି।

ସୂଚନା ଥାଉକି, ଚଳିତ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସେ ଗତ ୧୬ ତାରିଖ ଦିନ ଚିଠି ଲେଖିଥିଲେ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଦେଶରେ ଧାନ ଉତ୍ପାଦନ କରିବାରେ ଓଡ଼ିଶା ହେଉଛି ଚତୁର୍ଥ ବୃହତ୍ତମ ରାଜ୍ୟ । ଖରିଫ ବିପଣନ ଋତୁ ୨୦୨୩-୨୪ ରେ ଧାନ ସଂଗ୍ରହ ଆରମ୍ଭ ହୋଇସାରିଛି । ଚଳିତ ଥର ଓଡ଼ିଶାରେ ଭଲ ଅମଳ ହୋଇଥିବା କାରଣରୁ ରାଜ୍ୟରୁ ମୋଟ ପ୍ରାୟ ୭୯ ଲକ୍ଷ ମେଟ୍ରିକ ଟନ୍ ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ସାହାଯ୍ୟରେ ଓଡ଼ିଶାର ଲକ୍ଷାଧିକ ଚାଷୀମାନେ ଧାନ ସଂଗ୍ରହ ମାଧ୍ୟମରେ ଭଲ ଲାଭ ପାଇବା ନେଇ ଆଶା ରଖିଛନ୍ତି ।

ପ୍ରାରମ୍ଭିକ ଆବଣ୍ଟନରେ କେନ୍ଦ୍ର ସରକାର ୨୦୨୩-୨୪ ଖରିଫ ବିପଣନ ଋତୁରେ ୪୪.୨୮ ଲକ୍ଷ ମେଟ୍ରିନ ଟନ୍ ଚାଉଳ କିଣିବା ନେଇ ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି । ତେବେ ଏନ୍ଏଫ୍ଏସ୍ଏ, ଏସଏଫଏସଏ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ନିଜସ୍ୱ ଚାଉଳର ଆବଶ୍ୟକତା ପୂରଣ କରିବା ବ୍ୟତୀତ ପର୍ୟ୍ୟାପ୍ତ ପରିମାଣର ଉଷୁନା ଚାଉଳ ବଳକା ରହିଯାଇପାରେ । ଏହି ବଳକା ଚାଉଳ ଏଫସିଆଇ ଦ୍ୱାରା ଉଠାଣ ହେବାର ଆବଶ୍ୟକତା ରହିଛି । ତେବେ ତାଙ୍କର ଏହି ଅନୁରୋଧ କ୍ରମେ କେନ୍ଦ୍ର ସରକାର ଚଳିତ ଖରିଫ୍‌‌ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଚାଉଳ କିଣିବେ।

Get real time updates directly on you device, subscribe now.