fbpx

ଗୁଗୁଲ୍ ପେରୁ ମିଳିବ ଲୋନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ଏଣିକି ମୋବାଇଲ ଟିପରେ ହାତ ପାହାନ୍ତାରେ ମିଳି ପାରିବ ଲୋନ୍ । ଗୁଗୁଲ୍ ପେ ଜରିଆରେ କ୍ଷୁଦ୍ର ବ୍ୟବସାୟୀ ଲୋନ୍ ପାଇଁ ଆବେଦନ କରିପାରିବେ । ଡିଜିଟାଲ ଲେଣ୍ଡିଂ ଆପ ଫ୍ଲେକ୍ସି ଲୋନ୍ ପକ୍ଷରୁ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଫ୍ଲେକ୍ସି ଲୋନ୍ ବିଗତ ୪ ବର୍ଷ ହେବ କ୍ଷୁଦ୍ର ବ୍ୟବସାୟ ପାଇଁ ଋଣ ପ୍ରଦାନ କରୁଥିବା ବେଳେ ଏହା ମଧ୍ୟରେ ୧୦୦୦ କୋଟି ଟଙ୍କା ପ୍ରଦାନ କରିସାରିଛି କମ୍ପାନୀ । ପ୍ଲେ ଷ୍ଟୋରରେ ଏହି କମ୍ପାନୀର ଆପକୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରି ସାରିଲେଣି । ଏପ୍ରିଲ ୨୦୨୦ ପରଠାରୁ ଏମଏସଏମଇ ସେକ୍ଟରରେ ୨.୨ ପ୍ରତିଶତର ହ୍ରାସ ଘଟିଛି । ଏପ୍ରିଲ ୨୦୨୦ରେ ବ୍ୟାଙ୍କ ଗୁଡିକ ବାର୍ଷିକ ୧୦.୮୪ ଲକ୍ଷ କୋଟିର ଋଣ ପ୍ରଦାନ କରିଥିବା ବେଳେ ଏହା ହ୍ରାସ ପାଇ ୧୦.୬୦ ଲକ୍ଷ କୋଟିରେ ପହଞ୍ଚିଛି । ଏପରି ସ୍ଥିତିରେ ଏକାଧିକ କ୍ଷୁଦ୍ର ବ୍ୟବସାୟୀ ଫ୍ଲେକ୍ସି ଲୋନକୁ ବାଛିଥିବା ଜଣାପଡିଛି ।

କରୋନା ଲକଡାଉନର ପ୍ରଥମ ଥରରେ ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ୟାକେଜର ଘୋଷଣା କରାଯାଇଥିଲା । ଏହି ସମୟରେ ପ୍ରାୟ ୫୦ ହଜାର କ୍ଷୁଦ୍ର ବ୍ୟବସାୟୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିଥିଲା ଫ୍ଲେକ୍ସି ଲୋନ୍ । କମ୍ପାନୀ ମେଟ୍ରୋ ସହର ପରିବର୍ତ୍ତେ ଟିଅର-୩ ଓ ୪ ବର୍ଗରେ ରହିଥିବା ସହର ଗୁଡିକରେ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେଉଛି । ଗୁଗୁଲ ପେ ଦ୍ୱାରା କମ୍ପାନୀ ଅଧିକ ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରିଛି ବୋଲି ଫ୍ଲେକ୍ସି ଲୋନର ସହ ପ୍ରତିଷ୍ଠାତା ଅଭିଷେକ କୋଠାରୀ ପ୍ରକାଶ କରିଛନ୍ତି ।

ଭାରତରେ ଡିଜିଟାଲ ଋଣର ପରିମାଣ ୨୦୧୮ ସୁଦ୍ଧା ୭୫ ବିଲିୟନ୍ ଡଲାର ରହିଥିବା ବେଳେ ଏମଏସଏମଇ କ୍ଷେତ୍ରର ପରିମାଣ ୩୮୦ ବିଲିୟନ ଡଲାର ରହିଛି । ୨୦୨୩ ସୁଦ୍ଧା ଡିଜିଟାଲ ଋଣ ରାଶି ୩୫୦ ବିଲିୟନ ଡଲାର ଛୁଇଁବାର ଆଶା କରାଯାଉଛି । କରୋନା ପରସ୍ଥିତିରେ ସରକାରଙ୍କୁ ପକ୍ଷରୁ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଯୋଜନାରେ ଡିଜିଟାଲ ଋଣ ପାଇଁ ୪.୫ ଲକ୍ଷ କୋଟି ବ୍ୟୟବରାଦ କରାଯାଇଥିଲା । ଏହା ପୂର୍ବରୁ ଭାରତରେ କ୍ଷୁଦ୍ର ବ୍ୟବସାୟ ପାଇଁ ଭାରତରେ ୧୫ ମିଲିୟନ୍ ଡଲାର ନିବେଶ ସମ୍ପର୍କରେ ଘୋଷଣା କରିଥିଲା ଗୁଗୁଲ । ଏହା ସହିତ ସମଗ୍ର ବିଶ୍ୱରେ କ୍ଷୁଦ୍ର ବ୍ୟବସାୟର ବିକାଶ ପାଇଁ ଗୁଗୁଲ ୨୦୦ ମିଲିୟନ୍ ଡଲାର ନିବେଶ କରିସାରିଛି ।

Get real time updates directly on you device, subscribe now.