fbpx

ପିଲାଙ୍କୁ ବିଭ୍ରାନ୍ତ କରୁଥିବା ବିଜ୍ଞାପନ ଉପରେ କଠୋର ହେଲେ ସରକାର, ହୋଇପାରେ ୫୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି । ଫଳରେ ବିଭ୍ରାନ୍ତିକର ବିଜ୍ଞାପନ ଦ୍ୱାରା ପ୍ରସାରିତ ହେଉଥିବା ବାର୍ତ୍ତାଦ୍ୱାରା ପ୍ରଭାବିତ ହେଉଥିବା ଉପଭୋକ୍ତାଙ୍କ ସୁରକ୍ଷା କରାଯାଇପାରିବ, ବିଶେଷ କରି ପିଲାଙ୍କ କ୍ଷେତ୍ରରେ । ଏହି ମାର୍ଗଦର୍ଶିକାରେ କମ୍ପାନୀଙ୍କୁ ସ୍ୱାସ୍ଥ୍ୟ ତଥା ପୋଷଣ ସମ୍ବନ୍ଧୀୟ ଫାଇଦା ବିଷୟରେ ମିଛ ଦାବି କରିବା ଠାରୁ ରୋକିବା ଏବଂ ଉପହାରର ଲୋଭଦେଖାଇ ପିଲାଙ୍କୁ ଜିନିଷ ତଥା ସେବା ନେବା ପାଇଁ ରାଜି କରାଇବା ଆଦି ଉପରେ ରୋକ୍ ଲଗାଯିବା ନେଇ ନିର୍ଦ୍ଦେଶ ରହିଛି । ଭ୍ରମିତ କରିବା ସହ ଏହି ବିଜ୍ଞାପନ ଖାଉଟିଙ୍କ ବିଭିନ୍ନ ଅଧିକାରର ଉଲ୍ଲଘଂନ କରୁଛି ।

ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ପିଲାଙ୍କୁ ଟାର୍ଗେଟ କରି ତିଆରି କରାଯାଉଥିବା ବିଜ୍ଞାପନ ବିଷୟରେ ୧୯ ଟି ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ଠାରୁ ଏହି ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହୋଇଛି ଏବଂ ଉଲ୍ଲଂଘନ ହେଲେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ର ଧାରା ୨ (୨୮) ରେ ବିଭ୍ରାନ୍ତିକର ବିଜ୍ଞାପନ ପୂର୍ବରୁ ବ୍ୟାଖ୍ୟା କରାଯାଇଛି  । ବର୍ତ୍ତମାନର ଗାଇଡଲାଇନରେ ଲୋଭନୀୟ ବିଜ୍ଞାପନ, ଅନ୍ୟ ଦ୍ରବ୍ୟର ଆଢ଼ୁଆଳରେ ଭ୍ରମାତ୍ମକ ବିଜ୍ଞାପନ ଦେଖାଇବା ଉପରେ କୁହାଯାଇଛି ।

ଉପଭୋକ୍ତା ମାମଲାର ସଚିବ ରୋହିତ କୁମାର ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ସୁପାରିଶ ପରେ ପିଲାଙ୍କୁ ଟାର୍ଗେଟ କରି ତିଆରି କରାଯାଉଥିବା ବିଜ୍ଞାପନକୁ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆ ଗାଇଡଲାଇନ ଅନୂଯାୟୀ ସେହି ବିଜ୍ଞାପନକୁ ବିଭ୍ରାନ୍ତିକର କୁହାଯିବ ଯାହା ନିଜ ଉତ୍ପାଦକୁ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥା ଦ୍ୱାରା ନକରି ଏହାର ଲାଭ ବିଷୟରେ ଦାବି କରିଥାଏ ।

ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହେଲେ ଦଣ୍ଡବିଧାନ ଉପରେ ମଧ୍ୟ ସ୍ପଷ୍ଟ କରାଯାଇଛି  । ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଉତ୍ପାଦକ, ବିଜ୍ଞାପନଦାତା ଏବଂ ଏଣ୍ଡୋର୍ସଙ୍କ ଉପରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଇପାରେ  । ଏହା ପରେ ମଧ୍ୟ ଯଦି ନିୟମ ଉଲ୍ଲଂଘନ ହୁଏ, ତେବେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଇପାରେ । ପ୍ରାଧିକରଣ ଜଣେ ବ୍ୟକ୍ତିଙ୍କୁ ଥରେ ଭ୍ରମିତ ବିଜ୍ଞାପନ ପ୍ରସାରକାରିବା ପାଇଁ ୧ ବର୍ଷ ଏବଂ ଯଦି ପୁଣି ଏଭଳି କରନ୍ତି ତେବେ ୩ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇପାରିବେ ।

Get real time updates directly on you device, subscribe now.