fbpx

ସରକାରୀ ଚାକିରି ବୟସ ସୀମା ୩୨ରୁ ୩୮କୁ ବଢ଼ିଲା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ଅନ୍ୱେଷଣରେ ଥିବା ରାଜ୍ୟର ହଜାର ହଜାର ଆଶାୟୀଙ୍କ ପାଇଁ ଖୁସି ଖବର । ୨୦୨୧-୨୦୨୩ ବର୍ଷ ପାଇଁ ସରକାରୀ ଚାକିରି ବୟସ ସୀମା ୩୮ ବର୍ଷକୁ ବୃଦ୍ଧି କରାଯାଇଛି । କୋଭିଡ୍ ପରେ ରାଜ୍ୟ ସରକାର ବିଭିନ୍ନ ପଦବୀ ପାଇଁ ଦରଖାସ୍ତ ଓ ପରୀକ୍ଷା ଫି’ ଛାଡ଼ କରିଛନ୍ତି । ୨୦୨୧, ୨୦୨୨ ଓ ୨୦୨୩ ଏହି ୩ ବର୍ଷ ପାଇଁ ଚାକିରି ପ୍ରବେଶ ବୟସ ସୀମା ୩୨ରୁ ୩୮କୁ ବୃଦ୍ଧି କରାଯାଇଛି ।

ଏହି ନିୟମ ଅନୁଯାୟୀ, ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି । ଏନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନିତ କରାଯିବ । ଏଥିପାଇଁ ଓଡ଼ିଶା ଲୋକସେବା ଆୟୋଗ, ଏସଏସସି, ଅଧସ୍ତନ କର୍ମଚାରୀ ଚୟନ ଆୟୋଗ, ପୋଲିସ ନିଯୁକ୍ତି ବୋର୍ଡଙ୍କୁ ସୂଚନା ଦିଆଯାଇଛି ।

ଯେଉଁ ପଦବୀମାନଙ୍କ ପାଇଁ ପରୀକ୍ଷା ଓ ମୂଲ୍ୟାୟନ ସରିଛି ସେସବୁର ଚୟନ ତାଲିକା ନିଯୁକ୍ତି ପାଇଁ ଖୁବଶୀଘ୍ର ସମ୍ପୃକ୍ତ ବିଭାଗକୁ ସୁପାରିଶ କରିବାକୁ କୁହାଯାଇଛି । ୨୦୨୧-୨୨ ଓ ୨୦୨୨-୨୩ ବର୍ଷରେ ବର୍ତ୍ତମାନ ସୁଦ୍ଧା ଓପିଏସସି ଦ୍ୱାରା ୨୮୪୮ ପଦବୀ, ଏସଏସସି ଜରିଆରେ ୨୫୫୫ ପଦବୀ ଓ ଅଧସ୍ତନ ଚୟନ ଆୟୋଗ ଜରିଆରେ ୧୦,୩୫୫ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି । ପ୍ରାର୍ଥୀମାନଙ୍କୁ ବିଭାଗମାନେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେଉଛନ୍ତି ।

Get real time updates directly on you device, subscribe now.