fbpx
BJD SKY
BJD SKY

ସମ୍ବିଧାନରୁ ‘India’କୁ ହଟାଇବା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାର ବିଲ ଉପସ୍ଥାପନ କରିପାରନ୍ତି: ସୂତ୍ର

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ଲୋକଙ୍କୁ ‘ଦାସତ୍ୱ ମାନସିକତା’ରୁ ମୁକ୍ତ କରିବାକୁ ଗୁରୁତ୍ୱାରୋପ କରୁଛନ୍ତି । ଏଥିସହିତ ‘ଅମୃତ କାଳ’ ସମୟର ଏହି ମାନସିକତା ସହ ଜଡ଼ିତ କୌଣସି ଉପାଦାନ ‘ଇଣ୍ଡିଆ’ ଶବ୍ଦକୁ ସମ୍ବିଧାନରୁ ହଟାଇବାକୁ ଯୋଜନା କରୁଛନ୍ତି । ଏନେଇ କେନ୍ଦ୍ର ସରକାର ଏକ ବିଲ ଆଣିବାକୁ ପ୍ରସ୍ତୁତ ହେଉଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ସୂତ୍ର ମୁତାବକ, ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଛି । ଏହି ଅବସରରେ କେନ୍ଦ୍ର ସରକାର ‘ଇଣ୍ଡିଆ’ ଶବ୍ଦକୁ ହଟାଇବା ପାଇଁ ପ୍ରସ୍ତାବ ଆଣିପାରନ୍ତି । ଏଥିସହିତ ନିକଟରେ ମୁନ୍ ମିଶନ ଚନ୍ଦ୍ରଯାନ-୩ର ସଫଳତା ଓ ଆଦିତ୍ୟ ଏଲ-୧ ସୋଲାର ମିଶନର ଲଞ୍ଚ ଉପରେ ଏହି ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା ହୋଇପାରେ । ଚନ୍ଦ୍ରଯାନ-୩ରେ ଭାରତ ଇତିହାସ ରଚିବା ପରେ ବିଶ୍ୱର କୋଣକୋଣରୁ ପ୍ରଶଂସାର ସୁଅ ଛୁଟିଥିଲା ।

ସେପ୍ଟେମ୍ବର ୯-୧୦ ପର୍ଯ୍ୟନ୍ତ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବ । ଏହି ସମ୍ମାନଜନକ ସମ୍ମିଳନୀର କାର୍ଯ୍ୟକ୍ରମ ଓ ଏଥିସହ ଜଡ଼ିତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବ । ତେବେ ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ବର୍ତ୍ତମାନ ପର୍ଯ୍ୟନ୍ତ ଅଫିସିଆଲ ଭାବେ ଘୋଷଣା କରାଯାଇନାହିଁ । ଆସନ୍ତା ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ‘ବିକଶିତ ରାଷ୍ଟ୍ର’ରେ ପରିଣତ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ ହେବା ସହ ସେହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂତ୍ରରୁ ଜଣାପଡ଼ିଛି ।

୧୭ତମ ଲୋକସଭାର ୧୩ତମ ଅଧିବେଶନ ଓ ରାଜ୍ୟସଭାର ୨୬୧ତମ ଅଧିବେଶନ ଅବସରରେ ୫ଟି ବୈଠକ ଆୟୋଜିତ ହେବ । ଯଦି ସୂତ୍ରରୁ ମିଳିଥିବା ତଥ୍ୟକୁ ବିଶ୍ୱାସକୁ ନିଆଯାଏ, ତେବେ ଭାରତୀୟ ସମ୍ବିଧାନର ଧାରା-୧ରେ ବ୍ୟବହୃତ ହୋଇଥିବା ‘ଇଣ୍ଡିଆ, ଦାଟ୍ ଇଜ୍ ଭାରତ’ ଅଭିବ୍ୟକ୍ତିରୁ ‘ଇଣ୍ଡିଆ’କୁ ହଟାଇବାକୁ ଯୋଜନା କରୁଛନ୍ତି । ନିକଟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ‘ଆମର ଦେଶର ନାମ ଭାରତ ଶହ ଶହ ବର୍ଷ ପୂର୍ବରୁ ରହି ଆସିଛି’ ବୋଲି କହିବା ସହ ଇଣ୍ଡିଆ ବଦଳରେ ‘ଭାରତ’ ବ୍ୟବହାର କରିବାକୁ ଲୋକଙ୍କୁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅମୃତ କାଳର ୫ଟି ଶପଥ ଉପରେ ଗୁରୁତ୍ୱାରୋପ କରିବା ଅବସରରେ ଦାସତ୍ୱ ମାନସିକତାରୁ ମୁକ୍ତିକୁ ସେଥିରେ ସ୍ଥାନ ଦେଇଥିଲେ ।

Get real time updates directly on you device, subscribe now.