fbpx

Govt of India: ମହିଳା ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ବଦଳିଲା ପେନସନ ନିୟମ

ନୂଆଦିଲ୍ଲୀ: ମହିଳା ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ବିବାହ ବିବାଦ ସହ ଜଡିତ ମାମଲାରେ ମହିଳା କର୍ମଚାରୀ ସ୍ବାମୀଙ୍କ ବଦଳରେ ନିଜ ପିଲାଙ୍କୁ ଫ୍ୟାମିଲି ପେନସନ ପାଇଁ ନୋମିନେଟ କରିପାରିବେ। ଅନେକ ଆଲୋଚନା ପରେ ସରକାର ଏଭଳି ଏକ ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି। କାର୍ମିକ ମନ୍ତ୍ରାଳୟର ଘୋଷଣା ଅନୁସାରେ ଏହି ଅନୁମତି ପ୍ରଦାନ କରାଯାଇଛି।

ତେବେ କେନ୍ଦ୍ରୀୟ ସିଭିଲ ସେବା ନିୟମ ଅନୁଯାୟୀ, ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରାବାରିକ ପେନସନ ପାଇଁ ଅନୁମତି ଦେଉଛି। ବର୍ତ୍ତମାନର ନିୟମ ଅନୁସାରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପେନସନର ପ୍ରଥମ ଲାଭ ତାଙ୍କ ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ଦିଆଯାଇଥାଏ । ଯଦି ମୃତ ସରକାରୀ କର୍ମଚାରୀଙ୍କ ଜୀବନସାଥୀଙ୍କ ସହ କୌଣସି ବିବାଦ ଥାଏ କିମ୍ବା ମୃତ୍ୟୁ ହୋଇଯାଇଥାଏ ତେବେ ତାଙ୍କ ସନ୍ତାନ ଓ ପରିବାରର ଅନ୍ୟ ସଦସ୍ୟ ଫ୍ୟାମିଲି ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି। ସେହିପରି ଯଦି କୌଣସି ଅଦାଲତରେ ଛାଡ଼ପତ୍ର ମାମଲା ବିଚାରଧୀନ ରହିଛି ତେବେ ମହିଳା ନିଜ ସ୍ବାମୀଙ୍କ ପରିବର୍ତ୍ତେ ନିଜ ପିଲାଙ୍କୁ ଫ୍ୟାମିଲି ପେନସନ ପାଇଁ ହିତାଧିକାରୀ କରିପାରିବେ। ଏହା ବ୍ୟତୀତ ଯଦି ମହିଳା ନିଜ ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସା, ଯୌତୁକ କିମ୍ବା ଭାରତୀୟ ଦଣ୍ଡ ବିଧାନ ଅଧିନରେ ମାମଲା ରୁଜୁ କରିଥାନ୍ତି ତେବେ ତାଙ୍କ ପିଲାଙ୍କୁ ପେନସନ ଦିଆଯିବ। ତେବେ ଏହି ନୂଆ ପେନସନ ନିୟମ ହିତାଧିକାରୀଙ୍କ ପାଇଁ ଉଚିତ ହେବ ବୋଲି ମତ ପ୍ରକାଶ ପାଇଛି।

 

Get real time updates directly on you device, subscribe now.