fbpx

ଗ୍ରାଣ୍ଟ-ଇନ-ଏଡ ପରିସର ବୃଦ୍ଧି ପାଇବ: ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା କଲେଜକୁ ମିଳିବ ସରକାରୀ ମାନ୍ୟତା, ସବିଶେଷ ତାଲିକା ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜାନୁଆରୀ ମାସରେ ରାଜ୍ୟ କ୍ୟାବିନେଟରେ ଅନୁଦାନପ୍ରାପ୍ତ ସରକାରୀ କଲେଜର ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି କରାଯାଇଥିଲା । ରାଜ୍ୟ ସରକାରଙ୍କର ଉକ୍ତ ନିଷ୍ପତ୍ତି ଫଳରେ ୧୫ ହଜାର ୭୭୧ ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହୋଇଥିଲେ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ରାଜକୋଷରୁ ବାର୍ଷିକ ଅତିରିକ୍ତ ୨୯୦ କୋଟି ବ୍ୟୟ ବରାଦ କରାଯାଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଗ୍ରାଣ୍ଟ ଇନ୍ ଏଡ ପରିସରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଳରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଅଧିକ ସଂଖ୍ୟକ ଘରୋଇ କଲେଜକୁ ସରକାରୀ ମାନ୍ୟତା ମିଳିବ । ଏନେଇ ୨୦୦୮ ମସିହାରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା କଲେଜ, ସେଥିରେ କାମ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗା ଯାଇଛି । ଏହିସବୁ କଲେଜଗୁଡ଼ିକୁ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ ଇନ୍ ପଲିସୀ କାର୍ଯ୍ୟକାରୀ ହେବ । ସେଥିପାଇଁ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ମଗାଯାଇଛି ।

ତେବେ ୨୦୦୮ରୁ ୨୦୧୩ ମଧ୍ୟରେ ରାଜ୍ୟରେ ପାଖାପାଖି ୨୯୬ଟି କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ସେଥିରେ ପାଖାପାଖି ୩ ହଜାରର ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି । ୨୦୦୮ ପରଠାରୁ ୨୦୧୮ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ କଲେଜକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା କର୍ମଚାରୀମାନେ ଅନୁରୋଧ କରିଛନ୍ତି ।

୨୦୧୪ରେ ପରବର୍ଦ୍ଧିତ ଅନୁଦାନ ନୀତି ଆସିନଥିଲା । ତେଣୁ ଏକସଙ୍ଗେ ୨୦୧୮ ପର୍ଯ୍ୟନ୍ତ କଲେଜକୁ ଏଥିରେ ସାମିଲ କରିବାକୁ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି । ୨୦୧୮ ମଧ୍ୟରେ ରାଜ୍ୟରେ ପାଖାପାଖି ୩୫୦ଟି ଘରୋଇ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ସେଥିରେ ପାଖାପାଖି ୫୫୦୦ କର୍ମଚାରୀ ଓ ଅଧ୍ୟାପକମାନେ କାର୍ଯ୍ୟରତ ଅଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସମସ୍ତ କର୍ମଚାରୀ ଓ ଅଧ୍ୟାପକମାନେ ଖୁସି ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.