ମଧ୍ୟବିତ୍ତଙ୍କ ପାଇଁ ଶୀଘ୍ର GST ରିହାତି: ଟୁଥପେଷ୍ଟ, ବାସନ, ପୋଷାକ ଓ ଜୋତା ହେବ ଶସ୍ତା
ସମାପ୍ତ ହୋଇପାରେ ୧୨% GST ସ୍ଲାବ୍ । ନିମ୍ନ ଆୟକାରୀଙ୍କୁ ମିଳିବ ଆଶ୍ୱସ୍ତି
ନୂଆଦିଲ୍ଲୀ: ଚଳିତ ବର୍ଷର ଆୟକର ରିହାତି ପରେ କେନ୍ଦ୍ର ସରକାର ଏବେ ମଧ୍ୟବିତ୍ତ ଓ ନିମ୍ନ ଆୟ ଶ୍ରେଣୀର ପରିବାରଙ୍କ ପାଇଁ ସାମଗ୍ରୀ ଓ ସେବା କର (ଜିଏସ୍ଟି) ହ୍ରାସ କରିବାକୁ ଯୋଜନା କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ, ସରକାର ୧୨ ପ୍ରତିଶତ ଜିଏସ୍ଟି ସ୍ଲାବକୁ ସମ୍ପୂର୍ଣ୍ଣ ରଦ୍ଦ କରିବା କିମ୍ବା ଏହା ଅଧୀନରେ ଥିବା ଅନେକ ସାମଗ୍ରୀକୁ ୫ ପ୍ରତିଶତ କର ବ୍ରାକେଟକୁ ସ୍ଥାନାନ୍ତର କରିବା ଉପରେ ବିଚାର କରୁଛନ୍ତି ।
ସୂଚନା ଅନୁଯାୟୀ, ଏହି ପରିବର୍ତ୍ତନ ମଧ୍ୟବିତ୍ତ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଦ୍ୱାରା ବ୍ୟବହୃତ ସାମଗ୍ରୀ ଯଥା ଟୁଥପେଷ୍ଟ, ଟୁଥ ପାଉଡର, ଛତା, ସିଲେଇ ମେସିନ, ପ୍ରେସର କୁକର, ରୋଷେଇ ବାସନ, ଇଲେକ୍ଟ୍ରିକ ଆଇରନ, ଗିଜର, ଛୋଟ କ୍ଷମତାର ଓ୍ଵାସିଂ ମେସିନ, ସାଇକେଲ, ୧୦୦୦ ଟଙ୍କାରୁ ଅଧିକ ମୂଳ୍ୟର ରେଡିମେଡ ପୋଷାକ, ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ମୂଲ୍ୟର ଜୋତା, ଷ୍ଟେସନାରୀ, ଟିକା, ସେରାମିକ ଟାଇଲ୍ସ ଏବଂ କୃଷି ଉପକରଣ ଆଦିକୁ ଟାର୍ଗେଟ କରିବ । ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହେଲେ ଏସବୁ ସାମଗ୍ରୀ ଅଧିକ ସୁଲଭ ହେବ ।
ଆର୍ଥିକ ପ୍ରଭାବ- ଖବର ଅନୁଯାୟୀ, ଏହି ପଦକ୍ଷେପ ସରକାର ଉପରେ ୪୦,୦୦୦ କୋଟିରୁ ୫୦,୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ସୃଷ୍ଟି କରିପାରେ । କିନ୍ତୁ ସରକାର ପ୍ରାରମ୍ଭିକ ପ୍ରଭାବକୁ ସମ୍ଭାଳିବାକୁ ପ୍ରସ୍ତୁତ। ଏହା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଖର୍ଚ୍ଚ ବୃଦ୍ଧି । କେନ୍ଦ୍ର ମନେ କରୁଛି ଯେ, କମ୍ ମୂଲ୍ୟ ଯୋଗୁଁ ବିକ୍ରି ବୃଦ୍ଧି ପାଇବ ଏବଂ ଦୀର୍ଘକାଳୀନ ଭାବେ ଜିଏସ୍ଟି ସଂଗ୍ରହ ବୃଦ୍ଧି ପାଇବ ।
ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ ଏକ ସାକ୍ଷାତକାରରେ ଜିଏସ୍ଟି ହାରରେ ସମ୍ଭାବ୍ୟ ପରିବର୍ତ୍ତନର ସଙ୍କେତ ଦେଇ କହିଛନ୍ତି ଯେ, ସରକାର ଏକ ଯୁକ୍ତିଯୁକ୍ତ ଜିଏସ୍ଟି ଗଠନ ଏବଂ ମଧ୍ୟବିତ୍ତଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ରିହାତି ପ୍ରଦାନ ଦିଗରେ କାର୍ଯ୍ୟ କରୁଛନ୍ତି।
ବିରୋଧୀଙ୍କ ମତ- କେନ୍ଦ୍ରର ପ୍ରୟାସ ସତ୍ତ୍ୱେ, ରାଜ୍ୟମାନଙ୍କ ମଧ୍ୟରେ ଏକମତ ହୋଇନାହିଁ । ଜିଏସ୍ଟି ହାର ପରିବର୍ତ୍ତନ ପାଇଁ ଜିଏସ୍ଟି ପରିଷଦର ଅନୁମୋଦନ ଆବଶ୍ୟକ, ଯେଉଁଠାରେ ପ୍ରତ୍ୟେକ ରାଜ୍ୟର ଭୋଟିଂ ଅଧିକାର ରହିଛି। ବର୍ତ୍ତମାନ ପଞ୍ଜାବ, କେରଳ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ବିରୋଧ ଦେଖାଦେଇଛି । ଜିଏସ୍ଟି ପରିଷଦର ଇତିହାସରେ କେବଳ ଗୋଟିଏ ଥର ଭୋଟିଂ ହୋଇଛି, ଅନ୍ୟ ସମସ୍ତ ନିଷ୍ପତ୍ତି ସମ୍ମତି ଆଧାରରେ ହୋଇଛି ।