fbpx

ଦଶମନ୍ତପୁର ବ୍ଲକରେ ପୁଣି ଝାଡାବାନ୍ତି ଆତଙ୍କ, ୪ ଆକ୍ରାନ୍ତ ଚିହ୍ନଟ

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ କିଛି ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାରୁ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲୁଲ୍ଲା ପଞ୍ଚାୟତ ଅନ୍ତର୍ଗତ କେମିଲି ବେଡାପଦର ଗ୍ରାମର ଉଦୟ ଖୋସଲା (୪୭) ଓ ପତ୍ନୀ ଦଳିଲା ଖୋସଲା (୪୨) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହିପରି ଚିକାମ୍ବ ପଞ୍ଚାୟତ ତଳଗୋଦଳା ଗ୍ରାମର ରାମ ପରଜା (୬୪) ଓ ରହିଆମ୍ବ ଗ୍ରାମ ଲକ୍ଷ୍ମଣ ମାଣ୍ଡିଗା (୨୭) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।

ପ୍ରକାଶଥାଉକି, ଡୁମ୍ବାଗୁଡା ଗ୍ରାମର ଲଳିତ ନାୟକଙ୍କ ପତ୍ନୀ ସମ୍ବାରି ନାୟକ (୬୦) ଏବଂ ଗିର୍ଲିଗୁମା ପଞ୍ଚୟାତ ଅନ୍ତର୍ଗତ ଛତାଆମ୍ବ ଗ୍ରାମର ସୁଧୀର ହିଆଲ (୨୯) ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପ୍ରବଳ ବର୍ଷା ଲାଗି ରହିଥିବାରୁ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଆଜି ସୁଦ୍ଧା ବ୍ଲକର ମୋଟ ୭୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିରି ୩ଜଣ ଝାଡାବାନ୍ତିରେ ମୃତ୍ୟୁ ବରଣ କରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁଣି ଝାଡାବାନ୍ତି ବ୍ୟାପିବା ପୂର୍ବରୁ ୧୬ଟି ପଞ୍ଚାୟତରେ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପକ୍ଷରୁ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରିବା ପାଇଁ ଦାବି ହେଉଛି । ସେହିରି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପରତା ପ୍ରକାଶ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.