fbpx

ICC T-20 ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ହାର୍ଦ୍ଦିକ: ବିଶ୍ୱର ସର୍ବଶ୍ରେଷ୍ଠ ପଦବୀ ହାସଲ କଲେ ଷ୍ଟାର କ୍ରିକେଟର

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଚମ୍ପିଆନ୍ ହେବା ପରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି ଆଉ ଏକ ଖୁସି ଖବର । ଆଇସିସିର ଟି-୨୦ ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ପଦବୀ ହାସଲ କରିଛନ୍ତି ହାର୍ଦ୍ଦିକ । ବିଶ୍ୱକପରେ ଆଇସିସି ଜାରି କରିଥିବା ଟି-୨୦ ରାଙ୍କିଙ୍ଗରେ ବାଦଶାହ ପାଲଟିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର । ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ହାର୍ଦ୍ଦିକଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ବିବେଚନା କରାଇଛି । ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗାଙ୍କୁ ପଛରେ ପକାଇ ଏହି ସ୍ଥାନ ଉପରେ କବଜା କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ଟି-୨୦ ବିଶ୍ୱକପରେ ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୯ ପଏଣ୍ଟଲାଭ ହୋଇଛି । ଏଥିସହିତ ୨ଟି ସ୍ଥାନ ଉପରକୁ ଉଠି ଟି-୨୦ ଫର୍ମାଟରେ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ପାଲଟିଛନ୍ତି ହାର୍ଦ୍ଦିକ । ବିଶ୍ୱକପରେ ହାର୍ଦ୍ଦିକ ୧୪୪ ରନ୍ କରିବା ସହ ୧୧ଟି ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚରେ ହାର୍ଦ୍ଦିକଙ୍କ ଶେଷ ୨ ଓଭର(୧୭,୨୦) ଭାରତକୁ ବିଶ୍ୱବିଜୟୀ କରାଇବାରେ ବେଶ୍ ସାହାଯ୍ୟ କରିଥିଲା । ଶେଷ ଓଭରରେ ୧୬ ରନ୍ ଡିଫେଣ୍ଡ କରି ସାରା ଭାରତକୁ ବିଶ୍ୱକପ ଟ୍ରଫି ଭେଟି ଦେଇଥିଲେ ହାର୍ଦ୍ଦିକ । ତେବେ ଏହି ପ୍ରଦର୍ଶନ ଯୋଗୁଁ ଆଇସିସି ତାଙ୍କୁ ଟି-୨୦ ଫର୍ମାଟରେ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ଘୋଷଣା କରିଛି । ଏହାସହିତ ସେ ଭାରତର ପ୍ରଥମ କ୍ରିକେଟର ଭାବରେ ଆଇସିସି ଟି-୨୦ ଫର୍ମାଟରେ ଶୀର୍ଷ ସ୍ଥାନରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛନ୍ତି ।

୨୨୨ ପଏଣ୍ଟ ରେଟିଙ୍ଗ ସହ ହାର୍ଦ୍ଦିକ ତାଲିକାର ଶୀର୍ଷରେ ରହିଛନ୍ତି । ତେବେ ୱାନିନ୍ଦୁ ହସରଙ୍ଗାଙ୍କର ମଧ୍ୟ ୨୨୨ ପଏଣ୍ଟ ରହିଥିବା ବେଳେ ସେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଏହି ଟି-୨୦ ଅଲରାଉଣ୍ଡର ତାଲିକାର ଟପ୍-୧୦ରେ ଅନ୍ୟ କୌଣସି ଭାରତୀୟ ଖେଳାଳି ନାହାନ୍ତି । ଏହି ତାଲିକାର ତୃତୀୟ ସ୍ଥାନରେ ମାର୍କସ ଷ୍ଟୋଇନିସ(ଅଷ୍ଟ୍ରେଲିଆ) ରହିଥିବା ବେଳେ ଚତୁର୍ଥରେ ସିକନ୍ଦର ରଜା(ଜିମ୍ବାୱେ) ଏବଂ ପଞ୍ଚମରେ ବାଂଲାଦେଶର ଶାକିବ ଅଲ ହାସନ ରହିଛନ୍ତି । ସେହିପରି ଷଷ୍ଠ ସ୍ଥାନରେ ମହମ୍ମଦ ନାବୀ(ଆଫଗାନିସ୍ତାନ), ସପ୍ତମରେ ଦୀପେନ୍ଦ୍ର ସିଂହ ଆରୀ(ନେପାଳ) ଏବଂ ଅଷ୍ଟମରେ ଲିଆମ ଲିଭିଙ୍ଗଷ୍ଟୋନ(ଇଂଲଣ୍ଡ) ସ୍ଥାନ ପାଇଛନ୍ତି । ତେବେ ନବମ ସ୍ଥାନରେ ଦକ୍ଷିଣ ଅଫ୍ରିକା ଅଧିନାୟକ ଏଡେନ୍ ମାର୍କରମ ଏବଂ ଦଶମରେ ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ମୋଇନ୍ ଅଲୀଙ୍କୁ ସ୍ଥାନ ମିଳିଛି ।

Get real time updates directly on you device, subscribe now.