ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ଆପ୍ ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଆପ୍ ଏହାର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ୯ ଜଣଙ୍କ ମଧ୍ୟରେ ବିଜେପି- କଂଗ୍ରେସ ବିରୋଧୀ ନେତାଙ୍କ ନାଁ ମଧ୍ୟ ସାମିଲ ରହିଛି ।
ବରୱାଲାରୁ ବିଜେପି ବିରୋଧୀ ଛତ୍ତରପାଲ ସିଂହ, ଥାନେସରରୁ କୃଷ୍ଣ ବଜାଜ ଏବଂ ବାୱଲରୁ ଜବାହର ଲାଲଙ୍କୁ ଟିକେଟ୍ ଦିଆଯାଇଛି । ସେହିପରି ସାଢ଼ୌରା ଆସନରୁ ରୀଟା ବାମଣିଆ, ଇନ୍ଦ୍ରୀରୁ ହୱା ସିଂହ, ରତିଆରୁ ମୁଖତିଆର ସିଂହ ବାଜିଗର, ଆଦମପୁରରୁ ଭୂପେନ୍ଦ୍ର ବେନିୱାଲ, ଫରିଦାବାଦରୁ ପ୍ରବେଶ ମେହତା ଏବଂ ତିଗାଓଁରୁ ଆବାସ ଚନ୍ଦେଲାଙ୍କୁ ଟିକେଟ୍ ମିଳିଛି । କହିରଖୁଛୁ ୨୦୦୯ରେ ଜୱାହର ଲାଲ ବାୱଲରୁ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ଏଥିରେ ସେ ପରାଜିତ ହୋଇଥିଲେ । ଏହା ପରେ ସେ କଂଗ୍ରେସର ହାତ ଧରି ୧୪ ବର୍ଷ ପର୍ଯ୍ୟନ୍ତ ରହିଲେ । କିନ୍ତୁ କଂଗ୍ରେସ ପକ୍ଷରୁ ଟିକେଟ୍ ପାଇବା ସମ୍ଭାବନା ନଥିବା ଦେଖି ସେ ‘ଆପ’ରେ ଯୋଗ ଦେଇଥିଲେ । ସେହିପରି କୁରୁକ୍ଷେତ୍ରରେ ବିଜେପିର ସବୁଠାରୁ ପରୁଣା ଚେହେରା ଭାବେ ପରିଚିତ କୃଷ୍ଣ ବଜାଜ । ସେ ୪୫ ବର୍ଷ ପର୍ଯ୍ୟନ୍ତ ବିଜେପି ସହ ଜଡ଼ିତ ଥିଲେ । ଏଥର ତାଙ୍କୁ ଟିକେଟ ନମିଳିବାରୁ ସେ ଆପରେ ସାମିଲ ହୋଇଗଲେ । ପୂର୍ବତନ ମନ୍ତ୍ରୀ ଛତ୍ତରପାଲ ସିଂହ ସୋମବାର ଆପରେ ଯୋଗ ଦେଇଥିଲେ । ବିଜେପି ତାଙ୍କୁ ଉପେକ୍ଷିତ କରିଥିବା ସେ ଅଭିଯୋଗ କରିଥିଲେ । ସେ ୧୯୯୧ ବିଧାନସଭା ନିର୍ବାଚନରେ ଚୌଧୁରୀ ଦେବୀଲାଲଙ୍କୁ ପରାସ୍ତ କରିଥିଲେ । ୨୦୧୯ରେ ବିଏସପି ଟିକେଟରୁ ଇନ୍ଦିରୁ ନିର୍ବାଚନ ଲଢ଼ିଥିବା ହୱା ସିଂହ ପରାସ୍ତ ହେବା ପରେ ୨୦୨୨ରେ ଆପରେ ଯୋଗ ଦେଇଥିଲେ ।