fbpx
BSKY
BJD MC SKY
BJD YOUTH SKY

ସଂକଟରେ ହରିୟାଣାର ବିଜେପି ସରକାର, ବହୁ ମତ ନ ଥିବାରୁ ବିରୋଧୀ ଦାବୀ କଲେ ଫ୍ଲୋର ଟେଷ୍ଟ

ଚଣ୍ଡୀଗଡ: ହରିୟାଣାରେ ବିଜେପିର ନାୟବ ସିଂହ ସୈନି ସରକାରରୁ ୩ ଜଣ ନିର୍ଦ୍ଦଳୀୟ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ବିଧାୟକ ସୋମବୀର ସାଙ୍ଗବାନ୍‌, ରଣଧୀର ଗୋଲେନ୍ ଓ ଧର୍ମପାଳ ଗୋନ୍ଦର ମଙ୍ଗଳବାର ମିଡିଆ ସହ ଆଲୋଚନା ସମୟରେ କଂଗ୍ରେସକୁ ସମର୍ଥନ ଦେବା ନେଇ ଘୋଷଣା କରିସାରିଛନ୍ତି । ଏହି କ୍ରମରେ କଂଗ୍ରେସ ନେତା ଭୂୂପିନ୍ଦର ସିଂହ ହୁଡ୍ଡା ଓ ଦଳର ପ୍ରଦେଶ ଅଧ୍ୟକ୍ଷ ଉଦୟଭାନ ବି ଉପସ୍ଥିତ ଥିଲେ । ଏହି ସମସ୍ତ ନେତା ସମର୍ଥନ ଫେରାଇ ନେବା ପରେ ରାଜ୍ୟରେ କଂଗ୍ରେସ ବେଶ୍ ଉତ୍ସାହିତ ହୋଇ ପଡିଛି ଓ ଫ୍ଲୋର ଟେଷ୍ଟ ଦାବୀ କରୁଛି । ଏହାର କାରଣ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପି ପାଖରେ ଏବେ ୪୦ ବିଧାୟକ ଅଛନ୍ତି ।

ନାୟବ ସିଂହ ସୈନି ସରକାରଙ୍କୁ ଦୁଇ ନିର୍ଦ୍ଦଳୀୟ ବିଧାୟକ ନୟନପାଲ ରାୱତ ଓ ରାକେଶ ଦୌଲତାବାଦଙ୍କ ସମର୍ଥନ ରହିଛି । ଏହା ବ୍ୟତିତ ଗୋପାଳ କାଣ୍ଡା ବି ବିଜେପି ସହ ଅଛନ୍ତି । ରାଜ୍ୟରେ ୨ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି । ଏଥିପାଇଁ ଗୃହରେ ମୋଟ ବିଧାୟକଙ୍କ ସଂଖ୍ୟା ଏବେ ୮୮ ରହିଛି ଓ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବା ଲାଗି ୪୫ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ବିଜେପି ନିକଟରେ ୨ ବିଧାୟକ କମ୍ ରହିଛନ୍ତି । ଏହି କାରଣରୁ ବିରୋଧୀ ଗୃହରେ ଫ୍ଲୋର ଟେଷ୍ଟ ଦାବୀ କରୁଛନ୍ତି । କିନ୍ତୁ ବିଧାନସଭା ବାଚସ୍ପତି ଜ୍ଞାନଚନ୍ଦ ଗୁପ୍ତା କହିଛନ୍ତି ନାୟବ ସିଂହ ସୈନି ସରକାର ନିକଟରେ ଫ୍ଲୋର ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେଣୁ ୬ ମାସ ପୂର୍ବରୁ ପୁଣି ଥରେ ଫ୍ଲୋର ଟେଷ୍ଟ କରାଯାଇପାରିବ ନାହିଁ ।

Get real time updates directly on you device, subscribe now.