ପ୍ରେମିକା ସହ ଫେରାର ହେଲା, ଜେଲ ବି ଗଲା, ଶେଷରେ ଗୁଳି ଖାଇ ମରିଲା

ପ୍ରେମ କରି ଗୁଳି ଖାଇ ମରିଲା ପ୍ରେମିକ

ଉତ୍ତରପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ବିଶେଷକରି ପ୍ରେମ ସମ୍ପର୍କକୁ ନେଇ ବେଶୀ ମାତ୍ରାରେ ଏହି ଘଟଣା ସାମ୍ନାକୁ ଆସୁଛି। ସେହିଭଳି ଉତ୍ତର ପ୍ରଦେଶର ମିରଟରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲା ମାତ୍ରେ ଆପଣଙ୍କ ଛାତି ଥରି ଉଠିବ।

ଘଟଣାଟି ଭବାନପୁର ଥାନା ଅଞ୍ଚଳର। ଏଠାରେ ପ୍ରେମ ସମ୍ପର୍କକୁ ନେଇ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାମ ତୁଷାର ସାଇନି, ଯାହାଙ୍କ ବୟସ ମାତ୍ର 22 ବର୍ଷ। ଭବାନପୁର ଥାନା ଅଞ୍ଚଳର ରାଲି ଚୌହାନ ଗେସୁପୁର ରାସ୍ତାରେ ଥିବା କାଳୀ ନଦୀ ନିକଟରେ ଯୁବକଙ୍କୁ ହତ୍ୟା କରାଯାଇଥିଲା।

ମୃତ ତୁଷାରଙ୍କ ପାଖରେ ଏକ ପିସ୍ତଲ ସହିତ ଏକ ସ୍କୁଟି ଏବଂ 1200 ଟଙ୍କା ମିଳିଥିଲା। ମୃତକଙ୍କ ମାଆ ସେହି କଲୋନୀରେ ରହୁଥିବା ଜଣେ ଝିଅ କାଜଲ, ତାଙ୍କ ଭାଇ ଅଙ୍କିତ, ମୋନୁ ଏବଂ କଞ୍ଚନଙ୍କ ବିରୁଦ୍ଧରେରେ ହତ୍ୟା ମାମଲା ରୁଜୁ କରିଛନ୍ତି।

ଅଭିଯୁକ୍ତଙ୍କ ଗିରଫ ଦାବିରେ ମୃତକଙ୍କ ପରିବାରର ସଦସ୍ୟମାନେ ମେଡିକାଲ କଲେଜ ସମ୍ମୁଖରେ ଥିବା ଗଢ଼ ରୋଡକୁ ଏକ ଘଣ୍ଟା ପାଇଁ ଅବରୋଧ କରିଥିଲେ। ପ୍ରାରମ୍ଭିକ ତଦନ୍ତରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିବା ବେଳେ ଏହାର ତଦନ୍ତ ମଧ୍ୟ ଏବେ ସୁଦ୍ଧା ଚାଲିଛି। କୁହାଯାଉଛି ଯେ, ମୃତ ତୁଷାର ତାଙ୍କ ପଡ଼ୋଶୀରେ ରହୁଥିବା କାଜଲଙ୍କୁ ଭଲ ପାଉଥିଲେ।

ଦୁଇ ବର୍ଷ ପୂର୍ବେ, ମାନେ 2023 ମସିହାରେ ତୁଷାର କାଜଲଙ୍କୁ ନେଇ ଫେରାର ହୋଇଯାଇଥିଲେ। କାଜଲଙ୍କ ବାପା ମେଡିକାଲ୍ ଥାନାରେ ତୁଷାରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତା ପରେ ତୁଷାର ଜେଲ୍ ଯାଇଥିଲେ। କିନ୍ତୁ ପରେ ସେ ଜାମିନରେ ବାହାରକୁ ଆସିଥିଲେ। ଏହି ମାମଲା ଏଯାଏଁ ମଧ୍ୟ କୋର୍ଟରେ ଅଛି।

ମୃତକ ଜଣକ ଗତ ଦୁଇ ମାସ ଧରି ବ୍ରହ୍ମପୁରରେ ଥିବା ତାଙ୍କ ବଡ଼ ଭଉଣୀଙ୍କ ସହିତ ରହୁଥିଲେ। ଗୁରୁବାର ଏହି ମାମଲାର ତାରିଖ ଥିବାରୁ ତୁଷାର କୋର୍ଟକୁ ଆସିଥିଲେ କିନ୍ତୁ ଘରକୁ ଆଉ ଫେରି ନଥିଲେ। ଶୁକ୍ରବାର ସକାଳେ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ତାଙ୍କ ମୃତଦେହ ରାଲି ଚୌହାନ ଗେସୁପୁର ରୋଡର କାଳୀ ନଦୀ ନିକଟରେ ଥିବା ମୁଲତାନର ଟ୍ୟୁବୱେଲ ନିକଟରେ ମିଳିଥିଲା। ତାଙ୍କ ବାମ ଆଖିରେ ଗୁଳି ବାଜିଥିଲା।ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ କହିଛି ଯେ, ଏହି ମାମଲାର ତଦନ୍ତ କରାଯାଉଛି।