ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଅନସିପର ଫାଇନାଲ ମ୍ୟାଚ୍ ଏବେ ପାଖେଇ ଆସୁଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଫାଇନାଲିଷ୍ଟ ଦଳ ମିଳି ପାରି ନାହାନ୍ତି । ଏଥିପାଇଁ ଅଷ୍ଟ୍ରେଲିଆ, ଦକ୍ଷିଣ ଆପ୍ରିକା ଏବଂ ଭାରତ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ଏହାପୂର୍ବରୁ ଆସିଛି ଏକ ବଡ଼ ଖବର । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଦଳରୁ ଇସ୍ତଫା ଦେଇଛନ୍ତି ପାକିସ୍ତାନର ମୁଖ୍ୟ କୋଚ୍ ଜେସନ ଗିଲେସ୍ପି । ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଯାଉଥିବା ବେଳେ ଏହାର ମାତ୍ର ୧ ଘଣ୍ଟା ପୂର୍ବରୁ ଦଳକୁ ଏଭଳି ଏକ ଝଟକା ଦେଇଛନ୍ତି ପାକିସ୍ତାନ କୋଚ୍ ।
ଡିସେମ୍ବର ୨୬ ତାରିଖରୁ ଦକ୍ଷିଣ ଆପ୍ରିକା-ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ପାକିସ୍ତାନ ଆଜିଠାରୁ ଗସ୍ତ ଆରମ୍ଭ କରିଛି । କିନ୍ତୁ ଏହାର ମାତ୍ର ୧ ଘଣ୍ଟା ପୂର୍ବରୁ ଦଳକୁ ଝଟକା ଦେଇଛନ୍ତି ମୁଖ୍ୟ କୋଚ୍ ଜେସନ ଗିଲେସ୍ପି । ପାକିସ୍ତାନ କ୍ରିକେଟ ବୋର୍ଡର ମନମାନୀ ଯୋଗୁଁ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି କୋଚ୍ । ତେବେ ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପୂର୍ବତନ ଷ୍ଟାର ବୋଲର ଆକିବ ଜାବେଦଙ୍କୁ କୋଚ୍ ଭାବରେ ଦାୟିତ୍ୱ ଦେଇ ଦକ୍ଷିଣ ଆଫ୍ରିକା ଗସ୍ତରେ ପଠାଇଛି ପିସିବି । ଚଳିତବର୍ଷ ଏପ୍ରିଲ ମାସରେ ଗିଲେସ୍ପି ଦଳର କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ସେ ଏହି ପଦରୁ ଇସ୍ତପା ପ୍ରଦାନ କରିଛନ୍ତି । ଏହାସହିତ ପାକିସ୍ତାନ ୪ ବର୍ଷ ମଧ୍ୟରେ ୬ ଜଣ କୋଚ୍ ପରିବର୍ତ୍ତନ କରିଛି ।
ପାକିସ୍ତାନ କ୍ରିକେଟ ଦଳର ଆସିଷ୍ଟାଣ୍ଟ କୋଚ୍ ଟିମ ନିଲସନଙ୍କୁ ଦଳରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ସିରିଜ ପରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଏହାକୁ ବୃଦ୍ଧି କରାଇ ନଥିଲା ପିସିବି । ତେବେ ବୋର୍ଡର ଏପରି ନିଷ୍ପତ୍ତିକୁ ନେଇ ଖୁବ ନାରାଜ ରହିଥିଲେ ଗିଲେସ୍ପି । ଏହାବ୍ୟତୀତ ବୋର୍ଡର ଆହୁରି କିଛି ନିଷ୍ପତ୍ତି ମଧ୍ୟ ଗିଲେସ୍ପିଙ୍କୁ ନିରାଶ କରିଥିଲା । ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ସମୟରେ ଦଳ ଚୟନରେ ଗିଲେସ୍ପିଙ୍କ ଭୂମିକାକୁ ମଧ୍ୟ ଶେଷ କରିଥିଲା ପିସିବି । ତେଣୁ ଗିଲେସ୍ପି ଆଜି ଦଳର କୋଚ୍ ପଦବୀରୁ ଇସ୍ତଫା ଦେଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।