fbpx

ତିରୁପତି ପ୍ରସାଦମରେ ପଶୁ ଚର୍ବି ବିବାଦ: କେନ୍ଦ୍ର ମାଗିଲା ସବିଶେଷ ରିପୋର୍ଟ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ବିବାଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି । ତିରୁପତି ମନ୍ଦିରରେ ଲାଗି ହେଉଥିବା ଲଡୁରେ ବ୍ୟବହାର ହେଉଥିବା ଘିଅ ପଶୁ ଚର୍ବିରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସାଦମକୁ ବର୍ଷ ତମାମ ଆସୁଥିବା ଭକ୍ତ ଗ୍ରହଣ କରୁଥିଲେ ।

କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ମାମଲାକୁ ଗମ୍ଭୀରତା ସହ ନେଇ ଏହା ଉପରେ ଏକ ଇନକ୍ୱାରୀ କରିବାକୁ କହିବା ସହ ଇନକ୍ୱାରୀ ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦରକାର ଥିବା କହିଛନ୍ତି ।

ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୂର୍ବ ସରକାର ସମୟରେ ପ୍ରସାଦମ ପ୍ରସ୍ତୁତିରେ ଗୋଚର୍ବି, ଘୁଷୁରୀ ଚର୍ବି, ମାଛ ତେଲ ପରି ନମୁନା ମିଳିଥିବାର ଏକ ରିପୋର୍ଟ ଦେଖାଇଥିଲା । ଏହି ରିପୋର୍ଟ ଗୁଜରାଟର ଏକ ଲ୍ୟାବର ଥିଲା । ଏହାକୁ ନେଇ ଚନ୍ଦ୍ରବାବୁ ଓ ଜନ ସେନା ପାର୍ଟି ନେତା ପବନ କଲ୍ୟାଣ ପୂର୍ବ ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତା ଓ ସନାତନ ଧାମର ପବିତ୍ରତା ନଷ୍ଟ କରିଥିବା ଅଭିଯୋଗ କରିଥିଲେ ।

ଏହି ଘଟଣା ପରେ କେନ୍ଦ୍ରରେ ଟିଡିପି ଓ ଜେଏସପି ସହ ମେଣ୍ଟ କରିଥିବା ବିଜେପିର ମନ୍ତ୍ରୀ ତଥା ନାସନାଲ ଜେନେରାଲ ସେକ୍ରେଟାରୀ ସଞ୍ଜୟ ବନ୍ଦୀ ଏହାକୁ ଅକ୍ଷମଣୀୟ ପାପ କହିବା ସହ ଏକ ସାମ୍ପ୍ରଦାୟିକ ଦୃଷ୍ଟିଭଙ୍ଗି ରଖି ଏଥିରେ ଅନ୍ୟ ଧର୍ମାବଲମ୍ବୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି । ସେହିପରି ବିଜେପି ସାଂସଦ ଭାନୁ ପ୍ରକାଶ ରେଡ୍ଡୀ ଘଟଣାକୁ ନେଇ ପୋଲିସ ଏଫଆଇଆର କରିବା ସହ ଏଥିରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଜୋଡିବାକୁ କହିଛନ୍ତି । ଭାନୁ ପ୍ରକାଶ ତିରୁମାଳା ତିରୁପତି ଦେବସ୍ଥାନମ ବୋର୍ଡର ଜଣେ ସଦସ୍ୟ ଥିଲେ ।

ସେପଟେ ଓା୍ୱଇଏସଆର ସାଂସଦ ୱାଇ ଭି ସୁବ୍ବା ରେଡ୍ଡୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ଭଗବାନଙ୍କୁ ଲାଗି ହେଉଥିବା ଭୋଗରେ ପଶୁ ଚର୍ବି ପରି ଜଘନ୍ୟ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତାକୁ ନଷ୍ଟ କରିବା ସହ କୋଟି କୋଟି ଭକ୍ତଙ୍କ ଭାବାବେଗ ଉପରେ କୁଠାରାଘାତ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ କଂଗ୍ରେସ ରାଜ୍ୟ ସଭାପତି ୱାଏସ ସର୍ମିଳା ଘଟଣା ଉପରେ ସିବିଆଇ ବା ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ସର୍ମିଳା ଏଥିରେ ଟିଡିପି ସରକାର ଉପରେ ବର୍ଷିଛନ୍ତି । ରାଜନୈତିକ ଫାଇଦା ପାଇଁ ଏମିତି କରାଯାଉଥିବା କହି କେନ୍ଦ୍ରୀୟ ଯାଞ୍ଚକାରୀ ଏଜେନ୍ସି ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.