fbpx

ଆଜିଠୁ ବଢିବ ତାତି : ପାଣିପାଗ ବିଭାଗର ସୂଚନା

AAKASH

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ତାତି । ଆଉ ୨୪ ଘଣ୍ଟା ପରେ ପାରଦ ହେବ ଉପରମୁହାଁ । ଏ ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାରଠାରୁ ଦିନର ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । ତେବେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ହିଟ୍ୱେଭ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି ।

ସେହିପରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ଚଳିତମାସ ୧୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜ ଛୁଇଁବ ବୋଲି ଆକଳନ କରାଯାଇଛି । ତେବେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପରେ ଏହା କେବେ ଓଡ଼ିଶାକୁ ଛୁଇଁବ ସେ ନେଇ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି ।

ଗତବର୍ଷ ଏହି ସମୟରେ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରକୁ ଅଗ୍ରସର ହୋଇଥିଲା । କିନ୍ତୁ ଏହା କେରଳ ଉପକୂଳ ଛୁଇଁବା ପାଇଁ ୭ ଦିନ ବିଳମ୍ବ ହୋଇଥିଲା । ସେହିପରି ମୌସୁମୀ ବାୟୁ ଓଡ଼ିଶାକୁ ପାଖାପାଖି ୧୦ ଦିନ ବିଳମ୍ବରେ ଛୁଇଁଥିଲା । ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଚାରିଦିନ ପରେ ବର୍ଷାର ପରିମାଣ କମିବା ସହ ପାଗ ଶୁଖିଲା ରହିବ । ଏହି ସମୟରେ ତାତିର ପ୍ରକୋପ ବୃଦ୍ଧି ପାଇବ ।

Get real time updates directly on you device, subscribe now.