fbpx
BSKY
BJD SHG SKY
BJD YOUTH SKY

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୩ରେ ଅବପାତ ! ଓଡ଼ିଶାର ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଘୃର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତା ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପନେବା ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ୨୪ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଗଜପତିରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୫ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢ଼େଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି ବେଗରେ ପବନ ବହିବ । ଏପରିକି ସ୍ଥଳ ବିଶେଷରେ ଏହା ୭୦ କି.ମି ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଅବପାତଟି ପ୍ରଥମେ ଆନ୍ଧ୍ରମୁହାଁ ହୋଇ ଦିଗ ପରିବର୍ତ୍ତନ କରିବାପରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେବ ରାଜ୍ୟରେ ତାତିର ପ୍ରଭାବ ବୃଦ୍ଧି ପାଇଛି । ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଫଳରେ ଲୋକଙ୍କ ଜୀବନଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତେବେ ଲଘୁଚାପ ପ୍ରଭାବରେ ପୂଜା ବଜାର ଭିଜିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ୨୦ରୁ ୨୩ ତାରିଖ ପ୍ରଚଣ୍ଡ ଖରା ସହ ତାତି ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.