fbpx

ପଶ୍ଚିମା ଝଡ଼ର ଏ କି ରୂପ: କେତେବେଳେ ବର୍ଷା କେତେବେଳେ ଖରା, ପାଗକୁ ନେଇ ଆଶଙ୍କାରେ ଟ୍ୱିନ୍ ସିଟି ବାସିନ୍ଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ଟ୍ୱିନ ସିଟି ଭୁବନେଶ୍ୱର ଓ କଟକର ପରିସ୍ଥିତି ନ କହିବା ଭଲ । ସକାଳୁ ସକାଳୁ ପଶ୍ଚିମା ଝଡ଼ ରାଜ୍ୟବାସୀଙ୍କୁ ସତେ ଯେମିତି ଘାଇଲା କରିଦେଲା । ଟ୍ୱିନ ସିଟି ବାସୀ ଆଜି ସକାଳୁ ଅଫିସ ଓ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରି ପାରି ନଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଦୁଇ ସହରର ଗଳିକନ୍ଦିରରେ ପାଣିର ଲହରୀ ଦେଖିବାକୁ ମିଳିଥିଲା । ବିଶେଷ କରି ଯାନବାହାନ ଚଳାଚଳ ନେଇ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିଲା ।

ଆଜି ସକାଳୁ ରାଜଧାନୀର ସହିଦ ନଗର, ଇସ୍କନ ମନ୍ଦିର ରାସ୍ତା, ରସୁଲଗଡ଼, ବମିଖାଲ, ଟଙ୍କପାଣି ରୋଡ଼, ରାଜମହଲ, ୟୁନିଟ-୪, ବରମୁଣ୍ଡ ଆଦି ବିଭିନ୍ନ ସ୍ଥାନରେ ବର୍ଷା ପାଣି ସତେ ଯେମିତି ସମୁଦ୍ର ପାଲଟି ଯାଇଥିଲା । ଫଳରେ ଜନସାଧାରଣ ନିଜର ଜରୁରୀ କାର୍ଯ୍ୟ ପାଇଁ ଘରୁ ଗୋଡ଼ କାଢ଼ି ପାରିନଥିଲେ । ଅଚାନକ ଏମିତି ଭୀଷଣ ବର୍ଷା ମାଡ଼ିଆସିବ ବୋଲି କେହି କଳ୍ପନା ସୁଦ୍ଧା କରିନଥିଲେ । ଯୁଆଡ଼େ ଚାହିଁବ ଖାଲି ଜଳ ଆଉ ଜଳମୟ ଦେଖିବାକୁ ମିଳିଥିଲା ।

ତେବେ ସକାଳ ୬-୭ଟା ସମୟରେ ରାଜଧାନୀରେ ପ୍ରବଳ ବର୍ଷା ହେଉଥିବା ବେଳେ ୮ଟା ବେଳକୁ ପୁଣି ସବୁକିଛି ବଦଳି ଯାଇଥିଲା । ଅଚାନକ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବାଦଲ ପରିଷ୍କାର ଦେଖାଯିବା ସହିତ ଖରା ଦେଖିବାକୁ ମିଳିଥିଲା । ଲାଗୁଥିଲା ସତେ ଯେମିତି ସକାଳୁ କିଛି ବି ବର୍ଷା ହୋଇନାହିଁ । ପାଗର ଏହି ସ୍ଥିତିକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ପଶ୍ଚିମା ଝଡ଼ର ଗତି କେତେବେଳେ କ’ଣ ହେଉଛି ତାହା କହିବା ମୁସ୍କିଲା । ସମ୍ଭାବ୍ୟ ବର୍ଷା ନେଇ ଗତକାଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦-୫୦ କିମି ବେଗରେ ପବନ ବହିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.