ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ, ବନ୍ଦ ହେଲା ଚାରିଧାମ ଯାତ୍ରା

ଉତ୍ତରାଖଣ୍ଡ: ଦେବଭୂମିରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା ଚାରିଧାମ ଯାତ୍ରା । । 29 ଜୁନରୁ 1 ଜୁଲାଇ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଏନେଇ 24 ଘଣ୍ଟା ପାଇଁ ଚାରିଧାମ ଯାତ୍ରା ସ୍ଥଗିତ ରଖାଯାଇଛି ।

ପାଣିପାଗ ବିଭାଗ ବିଶେଷ କରି 29 ଜୁନ ଏବଂ 1 ଜୁଲାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏଠାରେ ବର୍ଷା ଯୋଗୁଁ ପୂର୍ବରୁ ବହୁତ ଭୂସ୍ଖଳନ ହୋଇଛି। ଏହି କାରଣରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। କିଛି ଲୋକ ଏବେ ବି ନିଖୋଜ ଅଛନ୍ତି, ଯାହାଙ୍କ ସନ୍ଧାନ ଚାଲିଛି।

ଏପରି ପରିସ୍ଥିତିରେ, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି, ସତର୍କତା ସ୍ୱରୂପ ଚାରଧାମ ଯାତ୍ରାକୁ ଆଗାମୀ 24 ଘଣ୍ଟା ପାଇଁ ବନ୍ଦ କରାଯାଇଛି।

ଏପଟେ ଗତକାଲି ରାତିରେ ଉତ୍ତରକାଶୀ ଜିଲ୍ଲାର ବାରକୋଟ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ 17 ଜଣ ଶ୍ରମିକ ଭାସି ଯାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଯମୁନୋତ୍ରୀ ରାଜପଥ ସମେତ ଅନେକ ରାସ୍ତା ବନ୍ଦ ରହିଛି।

ସେପଟେ ହରିଦ୍ୱାର, ଋଷିକେଶ, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ ଏବଂ ବିକାଶନଗରରେ ତୀର୍ଥଯାତ୍ରୀମାନଙ୍କୁ ଅଟକାଇବାକୁ  ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।