ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଅଗ୍ନିଶମ ବିଭାଗରେ ହୋମଗାର୍ଡଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ । ରାଜ୍ୟ ହାଇକୋର୍ଟ ଏନେଇ ଏକ ବଡ଼ ରାୟ ଶୁଣାଣି କରିଛନ୍ତି । ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ମୋଟ ୮୨୬ଟି ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଖାଲି ପଦର ୧୦ ପ୍ରତିଶତା ପଦ ହୋମଗାର୍ଡଙ୍କ ପାଇଁ ସଂରକ୍ଷଣ ରହିବା ନେଇ ବିଭାଗର ନିୟମ ରହିଛି । ସେହି ଅନୁସାରେ ୮୩ ଜଣ ହୋମଗାର୍ଡ ସେଥିରେ ନିଯୁକ୍ତି ପାଇବା କଥା । ମାତ୍ର ବିଭାଗ ପକ୍ଷରୁ ମାତ୍ର ୨୯ଟି ପଦରେ ହୋମଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଥିଲା । ଅବଶିଷ୍ଟ ୫୪ଟି ପଦରେ ହୋମଗାର୍ଡଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ସେଥିରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାକୁ ବିରୋଧ କରି କିଛି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ କହିଛନ୍ତି, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଅନେକ ଜରୁରୀକାଳୀନ ସେବା ପରିଚାଳିତ ହୋଇଥାଏ । ଏହି ନିଯୁକ୍ତି ପ୍ରକ୍ରିୟାରେ କୌଣସି ବିଳମ୍ବ କରିବା ଅନୁଚିତ । ଯଦି କୌଣସି ବିଳମ୍ବ ହୁଏ, ତେବେ ତାହା ପରୋକ୍ଷ ଭାବେ ଲୋକଙ୍କର କ୍ଷତିସାଧନ କରିବ । ଏଥିସହିତ ଏହି ନିଯୁକ୍ତି ପ୍ରକ୍ରିୟା ଉପରେ ଯେଉଁ ରହିତାଦେଶ ଜାରି ହୋଇଥିଲା, ତାହାକୁ ହାଇକୋର୍ଟ ହଟାଇ ଦେଇଥିଲେ । ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗରେ ହୋମଗାର୍ଡଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ରାଜ୍ୟ ସକକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଜବାବ ରଖିଥିଲେ । ଏହି ଆଧାରରେ ଏକ ସାନି ନୂତନ ତାଲିକା ପ୍ରକାଶ ପାଇଛି । ସଂରକ୍ଷଣକୁ ନେଇ ଯେଉଁ ନିୟମ ରହିଛି, ଉକ୍ତ ନିୟମକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ସେ କହିଥିଲେ ।