ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରିପୋର୍ଟ ପୁନଃ ଦାଖଲ କରିବାକୁ ରାଜ୍ୟ ସରକାର ଓ ASIକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନୂଆ ଅପଡେଟ୍ ଆସିଛି । ବିଶେଷଜ୍ଞ ଟିମ୍ ସହ ଶ୍ରୀମନ୍ଦିର ପରିଦର୍ଶନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ବିଶେଷଜ୍ଞ ଟିମ୍ ସହ ରାଜ୍ୟ ସରକାର ଓ ଏଏସଆଇ ମିଳିତ ଭାବେ ପରିଦର୍ଶନ କରି ରିପୋର୍ଟ ପୁନଃ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି । ଏଥିସହିତ ଆସନ୍ତା ମେ ମାସ ୧୬କୁ ପରବର୍ତ୍ତୀ ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ତେବେ ସୁବିସ୍ତୃତ ତଥ୍ୟ ସମ୍ବଳିତ ରିପୋର୍ଟ ଦାଖଲ ନେଇ ୨ ସପ୍ତାହ ସମୟ ମାଗିଛି ଏଏସଆଇ ।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ୧୭ ତାରିଖ ସୁଦ୍ଧା ଜବାବ ରଖିବା ପାଇଁ ଏଏସଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏଏସଆଇ ତଥ୍ୟ ରଖିପାରିନଥିବା ବେଳେ ଅତିରିକ୍ତ ୨ ସପ୍ତାହ ସମୟ ମାଗିଛି । ତେଣୁ ଉଭୟ ପକ୍ଷ ରିପୋର୍ଟ ପୁନଃ ଦାଖଲ କରିବେ ଓ ଆସନ୍ତା ମାସ ୧୬ରେ ଏହି ମାମଲାର ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।
ଏହି ମାମଲାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାତବିତଣ୍ଡା ଦେଖିବାକୁ ମିଳିଥିଲା । ଏପରିକି ଏହି ପ୍ରସଙ୍ଗର ଝଡ଼ ସଂସଦରେ ମଧ୍ୟ ଉଠିଥିଲା । ତେଣୁ ଏହି ପ୍ରକଳ୍ପ ବନ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହି ମାମଲାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ସାଂସଦ ପିନାକୀ ମିଶ୍ର ମୁହାଁମୁହିଁ ହୋଇଥିଲେ ।