fbpx

ଗ୍ରାହକଙ୍କୁ କନ୍ଦାଉଛି ହରଡ଼ ଡାଲି, ଗତ ଏକ ବର୍ଷ ମଧ୍ୟରେ ବଢ଼ିଲାଣି…

ଓଡିଶା ଭାସ୍କର; ଗ୍ରାହକଙ୍କୁ କନ୍ଦାଉଛି ହରଡ଼ ଡାଲି । ଦେଶରେ ଭିତରେ ହରଡ଼ ହେଉଛି ପ୍ରମୁଖ ଡାଲି ଯାହାକୁ ବେଶୀ ପରିମାଣରେ ଗ୍ରାହକ ଖାଦ୍ୟ ରୂପେ ବ୍ୟବହାର କରିଥା’ନ୍ତି । ଯଦିଓ ଅନ୍ୟ ଡାଲି ଯଥା; ମୁଗ,ବୁଟ,ମସୁର ଡାଲି ବ୍ୟବହାର କରାଯାଏ କିନ୍ତୁ ହରଡ଼ ଡାଲି ବହୁଳ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଥାଏ । ହେଲେ ଏହି ସମସ୍ତ ଡାଲି ଦର ଗତ ଏକ ବର୍ଷ ମଧ୍ୟରେ ଆକାଶ ଛୁଆଁ ହୋଇଥିବା ବେଳେ ସବୁଠାରୁ ଅଧିକରେ ରହିଛି ହରଡ଼ ଡାଲି । ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ବି ଡାଲିର ଦର ହ୍ରାସ ପାଇବାର ନାମ ନେଉନାହିଁ।

ସୂଚନା ମୁତାବକ, ହରଡ଼ ଡାଲି ଗତ ଏକ ବର୍ଷ ମଧ୍ୟରେ୨୭ ପ୍ରତିଶତ ମହଙ୍ଗା ହୋଇଛି। ଏହା ସହିତ ମସୁର ଡାଲିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଦେଶରେ ଖୁଚୁରା ମୂଲ୍ୟ ଉପରେ ନଜର ରଖୁଥିବା ଗ୍ରାହକ ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନର ତଥ୍ୟ ଅନୁଯାୟୀ, ଗତ୨୦୨୨ ମସିହା ୨୯ ଅଗଷ୍ଟରେ କିଲୋଗ୍ରାମ ପିଛା ହାରାହାରି ମୂଲ୍ୟ ୧୧୦.୬୬ ଟଙ୍କାରେ ଉପଲବ୍ଧ ଥିବା ହରଡ଼ ଡାଲି ଗୋଟିଏ ବର୍ଷରେ କେଜି ପିଛା ୧୪୦.୩୪ ଟଙ୍କାକୁ ବୃଦ୍ଧି ହୋଇଛି। ଅର୍ଥାତ ଗୋଟିଏ ବର୍ଷ ମଧ୍ୟରେ ଏହାର ମୂଲ୍ୟ ୨୭ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ବର୍ଷ ମୌସୁମୀରେ କମ ବର୍ଷା ଯୋଗୁ ଆସନ୍ତା ଦିନରେ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ଯାହା ଗ୍ରାହକଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଯିବ ।

ଖାଦ୍ୟ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,

ମୁଗ ଡାଲି; ଗୋଟିଏ ବର୍ଷ ଭିତରେ ୮.୧୫ ପ୍ରତିଶତ ମହଙ୍ଗା ହୋଇଛି । ଗତ ୨୦୨୨ ମସିହା ଅଗଷ୍ଟ ୨୯ରେ ମୁଗ ଡାଲିର ହାରାହାରି ମୂଲ୍ୟ ୧୦୨.୩୫ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୧୧.୧୯ ଟଙ୍କାକୁ ବୃଦ୍ଧି ପାଇଛି ।

ବିରି ଡାଲି; ଅନ୍ୟପଟେ ଏକ ବର୍ଷ ପୂର୍ବେ ୧୦୮.୨୫ ଟଙ୍କାରେ ମିଳୁଥିବା ଥିବା ବିରି ଡାଲି ବର୍ତ୍ତମାନ କିଲୋଗ୍ରାମ ପିଛା ୧୧୫.୦୨ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ଏହା ମୋଟ ୬.୨୫ ପ୍ରତିଶତ ଅଧିକ ହୋଇଛି ।

ମସୁର ଡାଲି; ସେହିପରି ଗୋଟିଏ ବର୍ଷରେ ଏହା ୫ ପ୍ରତିଶତରୁ ଅଧିକ ମହଙ୍ଗା ହୋଇଛି । ଏକ ବର୍ଷ ପୂର୍ବେ ମସୁର ଡାଲି ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୯୨.୦୯ ଟଙ୍କା ଥିଲା, ଯାହା ବର୍ତ୍ତମାନ କିଲୋଗ୍ରାମ ପିଛା ୯୭.୧୬ ଟଙ୍କାକୁ ବୃଦ୍ଧି ପାଇଛି ।

ବୁଟ ଡାଲି; ଏକ ବର୍ଷ ପୂର୍ବେ ବୁଟ ଡାଲି କିଲୋଗ୍ରାମ ପିଛା ୭୪.୧୫ ଟଙ୍କା ଥିଲା, ଯାହା ବର୍ତ୍ତମାନ କିଲୋଗ୍ରାମ ପିଛା ୭୭.୯ ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.