fbpx

CSKରେ ସାମିଲ ହେବେ ହିଟମ୍ୟାନ୍ ରୋହିତ? ଚେନ୍ନାଇ ଟିମ୍ ଦେଲା ବଡ଼ ବୟାନ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଅକ୍ସନ ପ୍ରକ୍ରିୟା ଶେଷ ହୋଇଛି । ପ୍ରତ୍ୟେକ ଦଳ ନିଜ ନିଜ ମନପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରି ସାରିଛନ୍ତି । ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଥିବା ବେଳେ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇ ଦଳ ନେତୃତ୍ୱ ଛଡ଼ାଇ ନେବା ପରେ ରୋହିତ ଅନ୍ୟ ଚେନ୍ନାଇ ପକ୍ଷରୁ ଖେଳିବା ନେଇ ଆଲୋଚନା ହେଉଛି । ତେବେ ଏ ନେଇ ବତ୍ତମାନ ଚେନ୍ନାଇ ସୁପର କିଙ୍ଗସ ଫ୍ରାଞ୍ଚାଇଜି ପକ୍ଷରୁ ଏକ ବଡ଼ ବୟାନ ଆସିଛି ।

ମୁମ୍ବାଇ ଇଣ୍ଡିଆନ୍ସ ଅକ୍ସନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ କରି ଆଣିବା ସହିତ ତାଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରିଛି । ଏହାପରେ ରୋହିତଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି । ଟ୍ରେଡ ୱିଣ୍ଡୋ ନିୟମ ଅନୁସାରେ ରୋହିତ ମଧ୍ୟ ମୁମ୍ବାଇ ଛାଡ଼ି ଅନ୍ୟ ଦଳରେ ସାମିଲ ହେବେ ବୋଲି ଖୁବ ଚର୍ଚ୍ଚା ହେବାରେ ଲାଗିଛି । ତେବେ ରୋହିତ ଆଗାମୀ ଆଇପିଏଲ ସିଜନ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିପାରନ୍ତି ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ଚେନ୍ନାଇର ନେତୃତ୍ୱ ଏମ.ଏସ ଧୋନୀଙ୍କ କାନ୍ଧରେ ରହିଛି । ତେବେ ରୋହିତଙ୍କୁ ଦଳରେ ସାମିଲ କରିବା ନେଇ ହେଉଥିବା ଆଲୋଚନା ଉପରେ ବଡ଼ ବୟାନ ଦେଇ ଫ୍ରାଞ୍ଚାଇଜି କହିଛି ଯେ, ଏସବୁରେ କୌଣସି ସତ୍ୟତା ନାହିଁ ।

ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି ଯେ, ଟିମ୍ ରୋହିତଙ୍କୁ ଦଳରେ ସାମିଲ କରିବା ମନୋବଳରେ ନାହିଁ । ଏସବୁ ଗୁଜବ ବୋଲି କହିଛନ୍ତି ଚେନ୍ନାଇର ସିଇଓ । ତେବେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଜଶପ୍ରୀତ ବୁମରାହ ମୁମ୍ବାଇ ଛାଡ଼ି ଅନ୍ୟ କେଉଁ ଦଳକୁ ଯାଉନାହାନ୍ତି ବୋଲି କିଛି ଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାବ୍ୟତୀତ ହାର୍ଦ୍ଦିକଙ୍କୁ ନେତୃତ୍ୱ ଦେବା ସମୟରେ ରୋହିତଙ୍କ ସମେତ ଦଳର ଅନ୍ୟ ସମସ୍ତ ସଦସ୍ୟଙ୍କ ସହମତି ନିଆ ଯାଇଥିବା ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.