fbpx

ଆକ୍ସନ ମୋଡ଼ରେ BMC: ଛାତ ଉପରେ ଲାଗି ପାରିବନି ହୋର୍ଡିଂ, ଘରୋଇ ସଂସ୍ଥାକୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କ ପାଇଁ ଏକ ବଡ଼ ଖବର । ବିଶେଷ କରି ଘରର ଛାତ ଉପରେ ବେଆଇନ ଭାବେ ହୋର୍ଡିଂ ଲଗାଉଥିବା ଲୋକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜଧାନୀର ଗଛ, ଖୁଣ୍ଟ, କାନ୍ଥରେ ବ୍ୟାନର ଓ ପୋଷ୍ଟର ଲଗାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏପରିକି ରାଜଧାନୀ ଭୁବନେଶ୍ୱରର କିଛି ଘରୋଇ ସଂସ୍ଥାକୁ ମଧ୍ୟ ବିଏମସ୍ ସିଲ୍ କରିଦେଇଥିଲା । ବିଏମସି ଅଧିନରେ ପଞ୍ଜିକୃତ ହୋଇନଥିବା ସଂସ୍ଥାଙ୍କୁ ହୋର୍ଡିଂ ହଟାଇବାକୁ କୁହାଯାଇଥିଲା ।

ତେବେ ଏହା ମଧ୍ୟରେ ହୋର୍ଡିଂକୁ ନେଇ ବିଏମସି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ବିଏମସିର ଏକାଧିକ ବାର ନୋଟିସ ପରେ ବି ବେଆଇନ ହୋର୍ଡିଂ ହଟି ନଥିବାରୁ ରାଜସ୍ୱ କ୍ଷତି ସହିବାକୁ ପଡ଼ିଥିଲା । ତେବେ ଏହା ମଧ୍ୟରେ ହୋର୍ଡିଂ ହଟାଇବାକୁ ନେଇ ବିଏମସି ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ସ୍ମାର୍ଟସିଟିର ଅଧିକାଂଶ ଘରର ଛାତରେ ବଡ଼ ବଡ଼ ହୋର୍ଡିଂ ଲୁହାର ଫ୍ରେମରେ ତିଆରି ହୋଇଥିବାରୁ ତାହା ଯେ କୌଣସି ମୁହୂର୍ତ୍ତରେ ଅଘଟଣକୁ ଆମନ୍ତ୍ରଣ କରିପାରେ ବୋଲି ଆଶଙ୍କା ରହିଥିଲା ।

ତେବେ ଏହି ହୋର୍ଡିଂ ହଟାଇବା ପାଇଁ ପୂର୍ବରୁ ଦିଆଯାଇଥିବା ନୋଟିସ୍ ଅବଧି ସମାପ୍ତ ହେବା ପରେ ଏବେ ବିଏମସି ଆକ୍ସନ ମୋଡ଼କୁ ଆସିଯାଇଛି । ହୋର୍ଡିଂ ହଟାଇବା କାର୍ଯ୍ୟ ଯଥାସମ୍ଭବ ଆରମ୍ଭ କରିବାକୁ ବିଏମସି ପକ୍ଷରୁ ଉକ୍ତ ଘରୋଇ ସଂସ୍ଥାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବେଆଇନ ହୋର୍ଡିଂ ହଟାଇବାକୁ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚିହ୍ନଟ କରାଯାଇଥିବା ଗତବର୍ଷ ଅକ୍ଟୋବର ମାସରେ ସୂଚନା ଦିଆଯାଇଥିଲା । ଏପରିକି ହୋର୍ଡିଂରେ ଆଗକୁ ଜିପିଏସ ଲାଗିବ ବୋଲି ମଧ୍ୟ କୁହାଯାଇଥିଲା । ଏପରିକି ଯେଉଁ ହୋର୍ଡିଂରେ ଜିପିଏସ ନଥିବ ତାହାକୁ ସଙ୍ଗେସଙ୍ଗେ ହଟାଇ ଦିଆଯିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.