fbpx
BJD SKY
BJD SKY

ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି: ନର୍ସ, ଫାର୍ମାସିଷ୍ଟ, ପାରାମେଡିକାଲ, ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ଆଗାମୀ ୬ ମାସ ପର୍ଯ୍ୟନ୍ତ କୌଣସି ଧର୍ମଘଟ କି ଧାରଣା ଦେଇ ପାରିବେ ନାହିଁ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଜରୁରୀ ସେବା ରକ୍ଷଣାବେକ୍ଷଣ ଆକ୍ଟ (ଏସମା) ଲାଗୁ କରାଯାଇଛି । ଏସମା ଆଇନ ୧୯୮୮ ଅନୁସାରେ ଏହି କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ଗୃହ ବିଭାଗର ନିଷ୍ପତ୍ତି ଅନୁଯାୟୀ, ନର୍ସ, ଫାର୍ମାସିଷ୍ଟ, ପାରାମେଡିକାଲ, ଟେକ୍ନିସିଆନଙ୍କ ସହିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ଏସମା ଲାଗୁ ହେବ । ଏହି ନିଷ୍ପତ୍ତି ଆଗାମୀ ୬ ମାସ ପର୍ଯ୍ୟନ୍ତ ଜାରି ରହିବ । ଫଳରେ ଏହି ସମୟ ମଧ୍ୟରେ ଡାକ୍ତରଖାନାମାନଙ୍କରେ କୌଣସି କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇପାରିବେ ନାହିଁ ।

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଠିକା କର୍ମଚାରୀ ଓ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନିୟୋଜିତ ଥିବା କର୍ମଚାରୀମାନେ ଧାରଣା ଦେଇ ପାରିବେ ନାହିଁ । ଏହାଛଡ଼ା ରାଜ୍ୟର ବିଭିନ୍ନ ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟର, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ପୋଲିସ ଚିକିତ୍ସାଳୟ ଓ କାରାଗାର ପରି ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରାଯିବ । କର୍ମଚାରୀମାନେ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ଅସହ୍ୟ ଗ୍ରୀଷ୍ମର ପ୍ରକୋପରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଅଧିକ ପ୍ରାଧାନ୍ୟ ଦେବା ସହ ନୂଆ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.