ବାହାନଗା ପରେ ଦିଗପହଣ୍ଡି: ଟ୍ରେନ ପରେ ବସ୍ ଦୁର୍ଘଟଣା, କି ଦୋଷ କରିଛନ୍ତି ଓଡ଼ିଶାବାସୀ, କାହିଁକି ବାରମ୍ବାର ଘଟୁଛି ଏପରି ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୯୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏପରି ଏକ ବଡ଼ଧରଣର ଦୁର୍ଘଟଣା ପରେ ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ସହିତ ସାଧାରଣ ଲୋକଙ୍କ ମଧ୍ୟରେ ଟ୍ରେନ ଯାତ୍ରାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

ଏହି ଦୁର୍ଘଟଣାର ମୃତକଙ୍କର ମୃତଦେହ ଚିହ୍ନଟ ପ୍ରକ୍ରିୟା ଆଜି ବି ଜାରି ରହିଛି । ଅକାଳରେ କିଏ ବାପାକୁ ହରାଇଲା ତ ଆଉ କିଏ ନିଜର ସ୍ୱାମୀ, ପୁଅ ଓ ମାଆଙ୍କୁ ହରାଇ ଆଜି ବି କାନ୍ଦୁଛି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯାତ୍ରୀମାନେ ଏବେ ମାନସିକ ରୋଗୀ ପାଲଟି ଯାଇଛନ୍ତି । ନିଜର ହାତ, ଗୋଡ଼, ମେରୁଣ୍ଡ ହରାଇଥିବା ମଣିଷଟି ବାକି ଜୀବନ କେମିତି କାଟିବ ତାହା ଏକ ବିରାଟ ପ୍ରଶ୍ନ । ଆଖି ସାମ୍ନାରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିବା ଜଣେ ସାଧାରଣ ମଣିଷର ହୃଦୟ କିପରି ସହିପାରିବ । ବାହାନଗା ଦୁର୍ଘଟଣା ପରେ ରାଜ୍ୟର ଯାଜପୁର, ବରଗଡ଼ ଆଦି ବିଭିନ୍ନ ସ୍ଥାନରେ ନିୟମିତ ବ୍ୟବଧାନରେ ଏକାଧିକ ଦୁର୍ଘଟଣା ଘଟିବାରେ ଲାଗିଛି ।

ତେବେ ଏହା ମଧ୍ୟରେ ଆଜି ପୁଣି ଏକ ବଡ଼ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ଜୀବନ ଚାଲିଯାଇଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଠାରେ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ମୃତାହତଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମାତ୍ର ୨୫ ଦିନ ମଧ୍ୟରେ ରାଜ୍ୟରେ ଦୁଇଟି ବଡ଼ ଦୁର୍ଘଟଣା ଘଟି ଯାଇଛି । ଗୋଟିଏ ଟ୍ରେନ ଦୁର୍ଘଟଣା ଓ ଅନ୍ୟଟି ବସ୍ ଦୁର୍ଘଟଣା । ଲାଗୁଛି ସତେ ଯେମିତି ଓଡ଼ିଶା ଉପରେ କାହାର ଅଭିଶାପ ପଡ଼ିଛି । କାହିଁକି ଓଡ଼ିଶାରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି? କି ଦୋଷ କରିଛନ୍ତି ଓଡ଼ିଶାବାସୀ, କାହିଁକି ଅକାଳରେ ନିରୀହ ଲୋକଙ୍କର ଜୀବନ ଚାଲିଯାଉଛି । ଓଡ଼ିଶାବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଚୟ ସହାୟ ହେବେ, ଏତିକି ଆମର ବିନମ୍ର ପ୍ରାର୍ଥନା ।