fbpx

କେମିତି ଜଣାପଡ଼ିଲା ବୋରୱେଲରେ ଫସିଛି ଶିଶୁ? ୭ ଘଣ୍ଟା ପରେ ଉଦ୍ଧାର ହେଲା ନବଜାତ

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲିରୁ ଆସିଛି ସବୁଠାରୁ ବଡ଼ ଖବର । ୬ ଘଣ୍ଟାରୁ ବୋରୱେଲ ଭିତରେ ଫସି ରହିଥିବା ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମର ଅକ୍ଳାନ୍ତ ଚେଷ୍ଟା ଓ ପରିଶ୍ରମ ପରେ ୧୫ ଫୁଟ ତଳୁ ଉଦ୍ଧାର ହୋଇଛି ଶିଶୁପୁତ୍ର । ତେବେ ପିଲାଟି ଫସି ରହିଥିବା ନେଇ କିପରି ଜଣା ପଡ଼ିଥିଲା, ସେ ନେଇ ଏବେ ଉତ୍ତର ମିଳିଛି । ବୋରୱେଲରେ ଶିଶୁପୁତ୍ରଙ୍କୁ ପ୍ରଥମେ କିଏ ଦେଖିଥିଲେ?

ମିଳିଥିବା ରିପୋର୍ଟ ଅନୁସାରେ, ଘଟଣାସ୍ଥଳକୁ ଜଣେ ମହିଳା ଶୌଚ ହେବାକୁ ପହଞ୍ଚିଥିଲେ । ତେବେ ଏହି ସମୟରେ ତାଙ୍କୁ ହଠାତ୍ ଗୋଟିଏ ଛୁଆର କୁଆଁ କୁଆଁ କାନ୍ଦ ଶୁଭିଥିଲା । କିନ୍ତୁ ସେ ଏହାକୁ ସ୍ପଷ୍ଟ ଜାଣି ପାରି ନଥିଲେ । ତେବେ ଅନେକ ସ୍ଥାନରେ ଖୋଜାଖୋଜି ପରେ କାନ୍ଦ ବୋରୱେଲ ଭିତରୁ ଆସୁଥିବା ଅନୁମାନ କରିଥିଲେ ମହିଳା । ଏହାପରେ ପ୍ରଥମେ ସେ ସ୍ଥାନୀୟ ଲୋକଙ୍କୁ କହିବାରୁ ସେମାନେ ରେଙ୍ଗାଲି ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ପରେ ସମ୍ବଲପୁର ଫାୟାର ଷ୍ଟେସନକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶିଶୁପୁତ୍ରର ଉଦ୍ଧାର କାର୍ଯ୍ୟ ।

ପ୍ରାୟ ୭ ଘଣ୍ଟାର ଅପେକ୍ଷା ପରେ ଶିଶୁପୁତ୍ରକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଓଡ୍ରାଫ ଟିମ୍ । ପିଲାଟି ଫସି ରହିଥିବା ଲୁହାପାଇପକୁ ୧୫ ମିନିଟ ପର୍ଯ୍ୟନ୍ତ କରତରେ କାଟିବା ପରେ ପିଲାଟିକୁ ସଫଳତାର ସହ ବାହାରକୁ ବାହାର କରାଯାଇଛି । ଉଦ୍ଧାର ପରେ ପିଲାଟି ହାତଗୋଡ଼ ହଲାଉଥିବା ଦେଖିବା ପରେ ଶିଶୁପୁତ୍ରକୁ ଭୀମସାର ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ତେବେ ଉଦ୍ଧାରକାରୀ ଦଳଙ୍କର ଏଭଳି ଅପୂର୍ବ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପିଲାଟିର ଜୀବନ ରକ୍ଷା କରିତିବାରୁ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.