fbpx

ଇସ୍ରାଏଲକୁ ସୁରକ୍ଷା ଦେଇ ପାରିଲାନି ‘Iron Dome’: ବାୟୁସୀମାର ଅଭେଦ୍ୟ ଦୁର୍ଗକୁ କେମିତି ଭେଦ କଲା ହମାସ

AAKASH

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଫିଲିସ୍ତୀନ ଆତଙ୍କୀ ସଂଗଠନ ‘ହମାସ’ର ଭୟଙ୍କର ଆକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଆତଙ୍କୀ ସଂଗଠନର ଇସ୍ରାଏଲକୁ ଘେରିବାକୁ ପୂର୍ବରୁ ବାରମ୍ବାର ପ୍ରୟାସ କରି ଆସୁଥିବା ବେଳେ ସେଥିରେ ସାମାନ୍ୟତମ ବି ସଫଳ ହୋଇନଥିଲା । ମାତ୍ର ଏଥର ହମାସ ଯୋଜନା ମୁତାବକ ଆକ୍ରମଣ କରି ଇସ୍ରାଏଲର ଶହ ଶହ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି ।

ଇସ୍ରାଏଲକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ମଧ୍ୟରେ ସାମିଲ କରାଯାଇଥାଏ । ଇସ୍ରାଏଲ ନିକଟରେ ପାରା ଆଇରନ ଡୋମ ସିଷ୍ଟମ ରହିଛି, ଯାହାକି ବଡ଼ ମିସାଇଲ ଡିଫେନ୍ସ ସିଷ୍ଟମର ଅଂଶ ଅଟେ । ତାହାକୁ ନିର୍ମାଣ କରିବା ପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ ହୋଇଛି । ତେଣୁ ବିଶ୍ୱର ଅନ୍ୟତମ ମଜବୁତ ଡିଫେନ୍ସ ସିଷ୍ଟମ ଥାଇ ବି ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ କିପରି ସଫଳ ହେଲା, ତାହା ଏବେ ସାରା ବିଶ୍ୱବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି ।

୭ ତାରିଖ ସକାଳେ ହମାସ ଅଚାନକ ଇସ୍ରାଏଲର ସହରରେ ୨୦ ମିନିଟରେ ୫ ହଜାର ରକେଟ୍ ମାଡ଼ କରିଥିଲା । ଏଥିସହିତ ହମାସର ବନ୍ଧୁକଧାରୀମାନେ ବିଭିନ୍ନ ସହରରେ ପଶି ସୈନ୍ୟ ଯାନବାହନକୁ କବଜା କରିନେଇଥିଲେ ଓ କିଛି ସୈନିକଙ୍କୁ ମଧ୍ୟ ବନ୍ଧକ କରିନେଇଥିଲେ । ଦେଶର ବାୟୁ ସୀମାର ସୁରକ୍ଷା କରୁଥିବା ‘ଆଇରନ୍ ଡୋମ’ କିପରି ବିଫଳ ହେଲା, ହମାସ ଏହାକୁ କିଭଳି ଭେଦ କଲା ତାହାକୁ ନେଇ ଏବେ ସଭିଙ୍କ ମନରେ ପ୍ରଶ୍ନ ଉଠିଛି ।

ଇସ୍ରାଏଲ ଆମେରିକା ସହଯୋଗରେ ରାଫେଲ ଆଡଭାଣ୍ଡ ଡିଫେନ୍ସ ସିଷ୍ଟମକୁ ଧ୍ୟାନରେ ରଖି ରକେଟ ଆକ୍ରମଣର ମୁକାବିଲା କରିବାକୁ ଏହାକୁ ବିକଶିତ କରିଥିଲା । ଗତ ୨୦୧୧ ମସିହାଠାରୁ ଇସ୍ରାଏଲ ଏହାକୁ ବ୍ୟବହାର କରିଆସୁଥିଲା । ଏହାର ସଫଳତାର ହାର ୯୦ ପ୍ରତିଶତ ବୋଲି ଇସ୍ରାଏଲ ସେନା ଓ ସରକାର ଦାବି କରିଥାନ୍ତି । ଶତ୍ରୁପକ୍ଷର କେଉଁ ମିସାଇଲ କେଉଁ ସ୍ଥାନକୁ ଟାର୍ଗେଟ କରିବ ତା’ର ଆଗୁଆ ସୂଚନା ଆଇରନ୍ ଡୋମ ପାଇବା ସହିତ ତାହାକୁ ଆକାଶରେ ଧ୍ୱଂସ କରିଦେଇଥାଏ । ଫିଲିସ୍ତୀନ ଆତଙ୍କୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଥିଲା ।

ଫିଲିସ୍ତୀନ ଆତଙ୍କବାଦୀ ସଂଗଠନ ଦୀର୍ଘ ସମୟ ଧରି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ସୁଯୋଗ ଖୋଜୁଥିଲା । ସେ ପ୍ରତି ମୁହୂର୍ତ୍ତରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲା । ମାତ୍ର ଇସ୍ରାଏଲ ସବୁ ସୀମାକୁ ଅଭେଦ୍ୟ କରିଥିବାରୁ ତାହା ସମ୍ଭବ ହେଉନଥିଲା । ସ୍ଥଳ ଭାଗକୁ ସେନା ଜଗିବା ସହିତ ଆକାଶମାର୍ଗକୁ ଆଇରନ୍ ଡୋମ୍ ସୁରକ୍ଷା ଦେଉଥିଲା । ବାରମ୍ବାର ବିଫଳ ହେବା ପରେ ହମାସ ଆଇରନ ଡୋମର ଦୁର୍ବଳତା ଖୋଜୁଥିଲା । ଶେଷରେ ତାହାକୁ ଭେଦ କରିବାର ଟେକନିକ ପାଇ ପାରିଥିଲା ହମାସ ।

ଏହି ନିୟନ୍ତ୍ରଣ ପ୍ରଣାଳୀକୁ କିପରି ଭେଦ କରିହେବ ତା’ର ଟେକନିକ ପାଇବାରେ ହମାସ ସଫଳ ହୋଇ ପାରିଥିଲା । ତେଣୁ ଯୋଜନା ମୁତାବକ ଆକ୍ରମଣ ଆରମ୍ଭ କରିଦେଇଥିଲା ହମାସ । ଫଳରେ ସମସ୍ତ ଲକ୍ଷ୍ୟକୁ ରୋକିବା ଆଇରନ୍ ଡୋମ ପାଇଁ ମୁସ୍କିଲ ହୋଇ ପଡ଼ିଥିଲା । ହମାସ ମାତ୍ର ୨୦ ମିନିଟରେ ୫ ହଜାର ରକେଟ୍ ମାଡ଼ କରିଥିଲା । ଅତି ନିକଟରୁ ଏହି ରକେଟଗୁଡ଼ିକୁ ନିକ୍ଷେପ କରାଯାଇଥିଲା । ଆଇରନ୍ ଡୋମ ଏହି ରକେଟକୁ ଅନୁସରଣ କରି ଜବାବ ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ୨୦୧୨ ସଂଘର୍ଷରେ ହମାସ ୪୦୦ ରକେଟ ମାଡ଼ କରିଥିବା ବେଳେ ଆଇରନ୍ ଡୋମ ୮୫ ପ୍ରତିଶତ ନଷ୍ଟ କରିଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା । ସେହିପରି ୨୦୧୪ରେ ହମାସ ୪୫୦୦ ରକେଟ ମାଡ଼ କରିଥିବା ବେଳେ ୮୦୦ରୁ ଅଧିକକୁ ରୋକା ଯାଇଥିଲା ଓ ୭୩୫ଟିକୁ ବାୟୁରେ ନଷ୍ଟ କରିଦିଆଯାଇଥିଲା ।

Get real time updates directly on you device, subscribe now.