fbpx

ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଆଣ୍ଠେଇବ ନା ଉଠିବ: ନବରତ୍ନଙ୍କ ପତିଆରା ଉପରେ ନିର୍ଭର କରୁଛି ଦଳର ଭବିଷ୍ୟତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କିଏ କେତେ ସିଟ୍ ହାତେଇବ ତାହାକୁ ନେଇ ଅଙ୍କକଷା ଆରମ୍ଭ କରିଦେଲେଣି ରାଜନୈତିକ ବିଶାରଦମାନେ । ତେବେ ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହୋଇପଡ଼ିବା ସହ ଗୋଷ୍ଠୀ କନ୍ଦଳରେ ବୁଡ଼ି ରହିଛି । ଏହା ମଧ୍ୟରେ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କୁ ଦଳ ତରଫରୁ ଅର୍ଥ ମିଳୁନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଗତ ୨୦୦୭ ପଞ୍ଚାୟତ ନିର୍ବାଚନରେ ଦଳ ୩୦୩ଟି, ୨୦୧୨ରେ ୧୨୯ଟି ଓ ୨୦୧୭ରେ ୬୦ଟି ଜିଲ୍ଲା ପରିଷଦ ଜୋନ୍ ଦଖଲ କରିଥିଲା । ଅର୍ଥାତ ମଞ୍ଜିଲ ନିଚେ ଚଲା ଜାତା ହେ । ଯଦି କଂଗ୍ରେସର ଏଭଳି ସ୍ଥିତି ଜାରି ରୁହେ, ତେବେ ୨୦୨୨ରେ ଦଳ କେତେ ହାତେଇବ ତାହା ହିସାବ କରିବା ଆଦୌ କଷ୍ଟକର ହେବନାହିଁ । ତେବେ କଂଗ୍ରେସର ସ୍ଥିତି ସୁଧାରିବାକୁ ହେଲେ ଗତ ୨୦୧୯ରେ ନିର୍ବାଚିତ ହୋଇଥିବା ୯ ଜଣ ବିଧାୟକଙ୍କ ଭୂମିକା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ରାଜ୍ୟରେ ବିଜେଡି ଓ ବିଜେପିକୁ କଡ଼ା ଟକ୍କାର ଦେଇ ବିଜୟ ଲାଭ କରିଥିବା ଏହି ନବରତ୍ନଙ୍କ ଦମକୁ କଦାପି ଅଣଦେଖା କରିହେବନି । ନବରତ୍ନଙ୍କ ବିଧାନସଭା କ୍ଷେତ୍ରରେ ପାଖାପାଖି ୪୦ଟି ଜିଲ୍ଲା ପରିଷଦ ଜୋନ୍ ରହିଥିବାରୁ କଂଗ୍ରେସର ସ୍ଥିତି ଏମାନଙ୍କର ପତିଆରା ଉପରେ ନିର୍ଭର କରୁଛି ।

ଅତୀତରେ କଂଗ୍ରେସରୁ ଭୂପିନ୍ଦର ସିଂହ, ପ୍ରଦୀପ ମାଝୀ, ନବ ଦାସଙ୍କ ପରି ବହୁ ବରିଷ୍ଠ ନେତାମାନେ ଦଳ ତ୍ୟାଗ କରି ସାରିଛନ୍ତି । ନିକଟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନେଇ ମଧ୍ୟ ଏକ ବିରାଟ ବିସ୍ଫୋରଣ ଘଟିଥିଲା । ପୂର୍ବରୁ କଂଗ୍ରେସର ଗଡ଼ ରହିଥିବା ଅଧିକାଂଶ ଜିଲ୍ଲାରେ ଏବେ ଦୁବ କଅଁଳୁ ନଥିବା ପରିସ୍ଥିତି ଦେଖିବାକୁ ମିଳୁଛି । ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ଦଳର ବହୁ ବରିଷ୍ଠ ନେତାଙ୍କ ରାଜନୈତିକ ଜୀବନର ଭବିଷ୍ୟତ ନିର୍ଦ୍ଧାରଣ କରିବ ।

Get real time updates directly on you device, subscribe now.