ଗୋଟିଏ ଦିନରେ କେତେ ପରିମାଣର ଖାଇବା ଦରକାର ଲୁଣ, ଜାଣନ୍ତୁ ଡବ୍ଲୁଏଚଓର ଗାଇଡଲାଇନ୍

ନୂଆଦିଲ୍ଲୀ: ଲୁଣ ଦୁଇଟି ଜିନିଷ ଦ୍ୱାରା ତିଆରି ହୋଇଥାଏ । ଗୋଟିଏ ହେଲା ସୋଡ଼ିୟମ୍ ଓ ଅନ୍ୟଟି ପୋଟାସିୟମ୍ । ଡବ୍ଲୁଏଚଓ ର କହିବା ମୁତାବକ, ଆମେ ଯେଉଁ ଲୁଣ ଖାଉଛେ ସେଥିରେ ସୋଡ଼ିୟମ୍ ଅଧିକ ମାତ୍ରାରେ ଥିବା ବେଳେ ପୋଟାସିୟମ୍ କମ୍ ମାତ୍ରାରେ ରହିଥାଏ । ବିଶ୍ୱ ବ୍ୟାପୀ ଲୋକଙ୍କ ଠାରେ ଏହି ସୋଡିୟମ୍ ର ଅଧିକ ସେବନ କାରଣରୁ ରକ୍ତଚାପ ଭଳି ସମସ୍ୟା ଦେଖାଦେଇଥାଏ । ଏହାଦ୍ୱାରା ସର୍ବଦା ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ ଭଳି ରୋଗର ଆଶଙ୍କା ରହିଥାଏ । ଅଧିକାଂଶ ଲୋକ ଦୈନିକ ୯ରୁ ୧୨ ଗ୍ରାମ ପର୍ଯ୍ୟନ୍ତ ଲୁଣ ସେବନ କରିଥାନ୍ତି ଯାହାଦ୍ୱାରା ବ୍ଲକ୍ ପ୍ରେସର୍ ରୋଗୀଙ୍କ ସଂଖ୍ୟା ବଢ଼ିଯାଏ ।

ତେବେ ଏହି ସମସ୍ୟାକୁ ଆଖି ଆଗରେ ରଖି ଡବ୍ଲୁଏଚଓ ଲୁଣ ଖାଇବାକୁ ନେଇ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ଆଉ ଯଦି ୨୦୨୫ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ପାଳନ କରାଯାଏ ବା ଲୁଣର ବର୍ତ୍ତମାନର ଦୈନିକ ସେବନକୁ ଅଧା କରିଦିଆଯାଏ ତେବେ ପ୍ରତିବର୍ଷ ଲୁଣ କାରଣରୁ ହେଉଥିବା ୨୫ ଲକ୍ଷ ମୃତ୍ୟୁକୁ ରୋକାଯାଇପାରିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ମୁତାବକ, ପ୍ରତିଦିନ ଜଣେ ବୟସ୍କ ବ୍ୟକ୍ତି ୪ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ଲୁଣରେ ଦୁଇଟି ତତ୍ତ୍ୱ ରହିଥାଏ । ସୋଡିୟମ୍ ଓ କ୍ଲୋରାଇଡ୍ । ହାର୍ଭାର୍ଡ ମେଡିକାଲ୍ ଜର୍ନାଲ୍ ଅନୁଯାୟୀ ସାଧାରଣ ଲୁଣରେ ୪୦ ପ୍ରତିଶତ ସୋଡିୟମ୍ ଏବଂ ୬୦ ପ୍ରତିଶତ କ୍ଲୋରାଇଡ୍ ଥାଏ । ଏଥିରୁ ଆମକୁ କେବଳ ୫୦୦ ମିଲିଗ୍ରାମ ସୋଡିୟମ୍ ଦରକାର ହୋଇଥାଏ । ଅତ୍ୟଧିକ ସୋଡିୟମ୍ ଆମ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହାଦ୍ୱାରା ରକ୍ତଚାପ, ହୃଦଘାତ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା ବଢ଼ିଯାଏ । ଏହା ସହିତ, ହାଡରୁ କ୍ୟାଲସିୟମ୍ ଲିକ୍ ହେବା ଆରମ୍ଭ କରିଥାଏ ।

ଆମେରିକାରେ ଲୋକମାନେ ଆନୁମାନିକ ୧.୫ ଚାମଚ ଲୁଣ ଖାଇଥାନ୍ତି । ଏଥିରେ ପ୍ରାୟ ୩୪୦୦ ମିଗ୍ରା ସୋଡିୟମ୍ ଥାଏ । ଯାହା ହେଉଛି, ଆବଶ୍ୟକତାଠାରୁ ୭ ଗୁଣ ଅଧିକ । ଆମ ଦେଶର ଲୋକମାନେ ଆମେରିକୀୟଙ୍କ ଅପେକ୍ଷା ଅଧିକ ଲୁଣ ଖାଆନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, ଜଣେ ବୟସ୍କ ବ୍ୟକ୍ତି ଦୈନିକ ୨ ଗ୍ରାମରୁ ଅଧିକ ସୋଡିୟମ୍ ଖାଇବା ଉଚିତ୍ ନୁହେଁ । ଅର୍ଥାତ୍ ଦୈନିକ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଶରୀର ପ୍ରତି ହାନିକାରକ ।