fbpx
BSKY
BJD MC SKY
BJD YOUTH SKY

ମଣିଷ-ବନ୍ୟଜନ୍ତୁ ମଧ୍ୟରେ ବଢିବ ବନ୍ଧୁତା: ସଂଘର୍ଷ ରୋକିବା ପାଇଁ ନିଯୁକ୍ତ ହେବେ ରାପିଡ ରେସପନ୍ସ ଟିମ୍

ଭୁବନେଶ୍ୱର: ମଣିଷ ସମାଜ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ କମିବ ଦୂରତା, ଉଭୟଙ୍କ ମଧ୍ୟରେ ବଢିବ ଭଲପାଇବା । ପୁଣିଥରେ ମଣିଷ-ପଶୁପକ୍ଷୀଙ୍କ ଭିତରେ ଥିବା ଭଲ ପାଇବା ଦେଖିବ ସାରା ଦୁନିଆ । ମଣିଷ ଏବଂ ବନ୍ୟଜନ୍ତୁ ଭିତରେ ଆରମ୍ଭ ହୋଇଥିବା ଶତ୍ରୁତା ଏବଂ ସଂଘର୍ଷକୁ ରୋକିବା ପାଇଁ ବନ ବିଭାଗ ଏକ ବଡ଼ ପଦକ୍ଷେପ ନେଇଛି । ଏଥିପାଇଁ ୧୮ଟି ରାପିଡ ରେସପନ୍ସ ଟିମ(Rapid Response Team) ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଦ୍ୱାରା ଖୁବଶୀଘ୍ର ମଣିଷ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ ପୁଣିଥରେ ଭଲ ପାଇବା ଏବଂ ଆଦର ଗଢି ଉଠିବ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ, ୪୦ ବର୍ଷରୁ କମ୍ ବୟସର ଯୁବ କର୍ମଚାରୀମାନଙ୍କୁ ଏହି ସ୍ୱତନ୍ତ୍ର ଟିମରେ ସାମିଲ କରାଯିବା ସହ ସେମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ପ୍ରତ୍ୟେକ ଟିମରେ ୬ ଜଣ ଯୁବ କର୍ମଚାରୀ ଏବଂ ଜଣେ ଡେପୁଟୀ ରେଞ୍ଜର ସ୍ତରୀୟ ଅଧିକାରୀଙ୍କୁ ସାମିଲ ରହିଛନ୍ତି । ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ମଣି ସମାଜ ଏବଂ ବନ୍ୟଜନ୍ତୁ ମଧ୍ୟରେ ଏକ ଶତ୍ରୁତା ଆରମ୍ଭ ହୋଇଯାଇଛି । ଏହାକୁ ରୋକିବା ପାଇଁ ବନ ବିଭାଗ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଟିମ୍ ଜନବସତି ଆଡ଼କୁ ମୁହାଁଉଥିବା ବନ୍ୟଜନ୍ତୁମାନଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ଦିଗରେ କାର୍ଯ୍ୟ କରିବ । ଏହାବ୍ୟତୀତ ଜଙ୍ଗଲରେ ପସି ରହିଥିବା ପଶୁପକ୍ଷୀମାନଙ୍କୁ ମଧ୍ୟ ଉଦ୍ଧାର କରିବାରେ ସହାୟକ ହେବ ରାପିଡ ରେସପନ୍ସ ଟିମ ।

ତେବେ ଏହି ଟିମର ସଦସ୍ୟମାନଙ୍କୁ ଏଭଳି ବିଭିନ୍ନ ସ୍ଥିତିର ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହାସହିତ ସେମାନଙ୍କ ଦିଆ ଯାଇଥିବା ଷ୍ଟେନ୍ ଗନ୍, ଟ୍ରାଙ୍କୁଲାଇଜର ବା ସ୍ମାର୍ଟ ଷ୍ଟିକ ଭଳି ୧୦୦ରୁ ଅଧିକ ସରଞ୍ଜାମର ପରିଚାଳନା ବିଷୟରେ ମଧ୍ୟ ତାଲିମ ପ୍ରଦାନ କରାଯାଇଛି । ତେବେ ମନୁଷ୍ୟ-ବନ୍ୟପ୍ରାଣୀଙ୍କ ମଧ୍ୟରୁ କାହାର କ୍ଷତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏହାସହ ପଶୁପକ୍ଷୀଙ୍କୁ ଟ୍ରାକିଂ କରିବା ଏବଂ ଟ୍ରାଙ୍କୁଲାଇଜେସନ କରିବା ଦିଗରେ ମଧ୍ୟ ଟିମର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛି ବନ ବିଭାଗ ।

କୌଣସି ସ୍ଥାନରେ ହାତୀ-ମଣିଷ ଲଢେ଼ଇ ହେଉ କିମ୍ବା ବନ୍ୟପ୍ରାଣୀ ବିପଦରେ ପଡ଼ିଲେ,ଏହି ଟିମ୍‌ ଘଣ୍ଟେରୁ ଦେଢ ଘଣ୍ଟା ଭିତରେ ଘଟଣାସ୍ଥଳରେ ପହଞ୍ଚିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଉଦ୍ଧାର ପ୍ରାଣୀକୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ବି ସଦସ୍ୟମାନଙ୍କୁ ତାଲିମ ଦିଆଯାଉଛି। ଘଟଣା ସମ୍ପର୍କରେ ସୂଚନା ଦେଇ PCCF (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି ୧୮ଟି ବନଖଣ୍ଡ ପାଇଁ ୧୮ଟି ରାପିଡ୍‌ ରେସ୍‌ପନ୍ସ ଟିମ ଗଠନ କରାଯାଇଛି।

Get real time updates directly on you device, subscribe now.