fbpx

ଆସନ୍ତା ମାସ ୩ରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ ଦେଖିବାକୁ ମିଳିବ ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ମାସ ୩ ତାରିଖ ବେଳକୁ ଉତ୍ତର ଓଡ଼ିଶାର ସ୍ଥଳଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ହୋଇ ନପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ଏ ବାବଦରେ ସୂଚନା ଦେଇଛନ୍ତି ।

ତେବେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ହେଁ ଭଲ ବର୍ଷା ହେଉ ନାହିଁ । ପରେ ଏହି ଘୂର୍ଣ୍ଣିବଳୟ ଘନୀଭତ ହୋଇ ଲଘୁଚାପର ରୂପ ନେଇପାରେ । ତା’ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଓ ବାତ୍ୟାରେ ପରିଣତ ହୋଇପାରେ । ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିଥିବାରୁ ବିଭିନ୍ନ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେଉଛି ।

ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ତେଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଗଜପତି, ଗଞ୍ଜାମ, ବରଗଡ଼, ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଆଦି ୧୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Get real time updates directly on you device, subscribe now.