ଇନଷ୍ଟାଗ୍ରାମ ପ୍ରେମର କରୁଣ ପରିଣତି… ଗର୍ଭବତୀ ସ୍ତ୍ରୀ ପେଟରେ ବସି ହତ୍ୟା କଲା ଜହ୍ଲାଦ ସ୍ୱାମୀ, ବାହାରିଗଲା ୭ ମାସରୁ ଭୃଣ

ସ୍ତ୍ରୀ ପେଟରେ ବଢ଼ୁଥିବା ପିଲାକୁ ନେଇ ସ୍ୱାମୀ କରୁଥିଲା ସନ୍ଦେହ । ମୁହଁରେ ତକିଆ ଦେଇ ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ ।

ହାଇଦ୍ରାବାଦ: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣାସାମ୍ନାକୁ ଆସିଛି । ସଚିନ ନାମକ ୨୧ ବର୍ଷିୟ ଯୁବକ ଗର୍ଭବତୀ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି ।

ଇନଷ୍ଟାଗ୍ରାମରୁ ପ୍ରେମ: ଜାନୁଆରୀ ୧୬ ତାରିଖ ରାତିରେ ସ୍ତ୍ରୀ ସ୍ନେହା ନିଦରେ ଶୋଇଥିବାବେଳେ ସଚିନ ଚୁପରେ ଘରେ ପଶିଥିଲେ । ଏହାପରେ ସ୍ନେହାଙ୍କ ପେଟ ଉପରେ ବସି ତାଙ୍କ ମୁହଁରେ ତକିଆ ଦେଇ ମାଡ଼ି ବସିଥିଲେ । ଯାହାଫଳରେ ଗର୍ଭବତୀ ସ୍ନେହାଙ୍କ ପେଟରୁ ୭ ମାସର ଭୃଣ ବାହାରି ଆସିଥିଲା ।

ଘଟଣାସ୍ଥଳରେ ମା’ ଓ ଛୁଆର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସଚିନ ଗ୍ୟାସ ଚୁଲା ଅନ୍ କରି ଘରେ ନିଆଁ ଲଗେଇ ଦେଇଥିଲେ । ହେଲେ ନିଆଁ

ବେଶୀ ଦୂର ପର୍ଯ୍ୟନ୍ତ ବ୍ୟାପି ପାରି ନ ଥିଲା । ପଡ଼ିଶା ଲୋକ ରକ୍ତରେ ଜୁଡ଼ୁବୁଡୁ ସ୍ନେହାଙ୍କୁ ଦେଖି ପୋଲିସକୁ ଏହାର ସୂଚନା ଦେଇଥିଲେ । ସଚିନ କିନ୍ତୁ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା ।

ସ୍ତ୍ରୀକୁ ସନ୍ଦେହ: ଘଟଣାର ଯାଞ୍ଚ ପରେ ସୋମବାର ସଚିନକୁ ପୋଲିସ ଗିରଫ କରି ପଚରାଉଚରା କରିଛି । ଅଭିଯୁକ୍ତର ବୟାନ ଅନୁସାରେ, ୨ ବର୍ଷ ପୂର୍ବେ ସଚିନ ଏବଂ ସ୍ନେହା ଇନଷ୍ଟାଗ୍ରାମରେ ଭେଟ ହୋଇଥିଲେ । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ବାହା ହୋଇଯାଇଥିଲେ ।

ବାହାଘରର କିଛିଦିନ ପରେ ଦୁହିଁଙ୍କ ଭିତରେ କଳିଗୋଳ ଲାଗିଲା । ଯାହାପରେ ସେମାନେ ଅଲଗା ରହିବା ଆରମ୍ଭ କଲେ । ଏ ଭିତରେ ସ୍ନେହା ଗର୍ଭବତୀ ହୋଇଥିଲେ । ସଚିନର ସନ୍ଦେହ ଥିଲା ସ୍ନେହା ପେଟରେ ବଢ଼ୁଥିବା ପିଲା ଆଉ କାହାର । ଯାହାପରେ ସେ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ସ୍ତିର କଲା ବୋଲି ପୋଲିସ କହିଛି ।