fbpx

୧୭ ଥର ଭାଙ୍ଗିଲା RCBର ସ୍ୱପ୍ନ: କ୍ୱାଲିଫାୟର-୨ରେ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ

AAKASH

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରୁ ବିଦା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଏହାଫଳରେ ଆରସିବିର ସ୍ୱପ୍ନ ୧୭ ଥର ଭାଙ୍ଗି ଚୁରମାର ହୋଇଯାଇଛି । ଏଲିମିନେଟର ମୁକାବିଲାରେ ବେଙ୍ଗାଲୁରୁକୁ ୪ ୱିକେଟରେ ହରାଇ କ୍ୱାଲିଫାୟର-୨ରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍ସ । ଆସନ୍ତା ୨୪ ତାରିଖରେ ରାଜସ୍ଥାନ-ହାଇଦ୍ରାବାଦ ମଧ୍ୟରେ କ୍ୱାଲିଫାୟର-୨ ମୁକାବିଲା ଅନୁଷ୍ଠିତ ହେବ । ନିର୍ଣ୍ଣାୟକ ମ୍ୟାଚରେ ବାଜି ମାରି ନେଇଥିଲା ରାଜସ୍ଥାନ ।

ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଆରସିବି ୮ ୱିକେଟରେ ୧୭୨ ରନ୍ ସଂଗ୍ରହ କରିଥିଲା । ବିରାଟ କୋହଲି (୩୩), ରଜତ ପଟିଦାର (୩୪) ଓ ମହିପାଲ ଲୋମ୍ରୋର (୩୨) ରନ୍ ସଂଗ୍ରହ କରିଥିଲେ । ରାଜସ୍ଥାନ ପକ୍ଷରୁ ଆବେଶ ଖାନ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ ନେଇଥିଲେ । ଜବାବରେ ରାଜସ୍ଥାନ ୧୯ ଓଭରରେ ୬ ୱିକେଟ ହରାଇ ୧୭୪ ରନ୍ ସଂଗ୍ରହ କରିନେଇଥିଲା । ଦଳ ଦରଫରୁ ୟଶସ୍ୱୀ ଜୟସ୍ୱାଇଲ ସର୍ବାଧିକ ୪୫ ରନ୍ ସଂଗ୍ରହ କରିଥିଲେ । ଆରସିବି ତରଫରୁ ମହମଦ ସିରାଜ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ତେବେ ଏହି ପରାଜୟ ଫଳରେ ଆରସିବି ଆଇପିଏଲରୁ ବିଦା ହୋଇଥିବା ବେଳେ ୧୭ ଥର ଆଇପିଏଲ ଟ୍ରଫି ଜିତିବାରେ ବିଫଳ ହୋଇଛି । ଆସନ୍ତାକାଲିର ବିଜେତା ୨୬ ତାରିଖରେ କୋଲକତା ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ । ଏକଦା ମ୍ୟାଚ ରୋମାଞ୍ଚପୂର୍ଣ୍ଣ ମୋଡ଼ରେ ରହିଥିବା ସମୟରେ ୧୬ତମ ଓଭରରେ ରିୟାନ ପରାଗ ମ୍ୟାଚର ଦିଗ ବଦଳାଇ ଦେଇଥିଲେ । ସେ କ୍ୟାମେରନ ଗ୍ରୀନଙ୍କ ଓଭରରେ ୨ଟି ଛକା ଓ ୧ଟ ଚୌକା ମାରି ୧୭ ରନ୍ ସଂଗ୍ରହ କରିଥିଲେ । ସେହିପରି ୧୭ତମ ଓଭରରେ ରାଜସ୍ଥାନ ୧୧ ରନ ଓ ୧୯ତମ ଓଭରରେ ୧୪ ରନ୍ ସଂଗ୍ରହ କରି ବିଜୟୀ ହୋଇପାରିଥିଲା ।

Get real time updates directly on you device, subscribe now.