fbpx
BJD
BJD SKY
BJD SKY

‘କୋହଲିଙ୍କୁ ଅଧିନାୟକ ପଦରୁ ମୁଁ ହଟାଇନାହିଁ…’ ୨ ବର୍ଷ ପରେ ବିବାଦ ଉପରେ ମୁହଁ ସୌରଭ ଗାଙ୍ଗୁଲି

BJD

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି ଟିମ ଇଣ୍ଡିଆ । ଉଭୟ ଦଳ ମଧ୍ୟରେ ଟି-୨୦, ଦିନିକିଆ ଏବଂ ପରେ ଟେଷ୍ଟ ସିରିଜ ଖେଳାଯିବ । ନୂଆ ମିଶନରେ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ଡିସେମ୍ବର ମାସରେ ଭାରତର ଏହି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଭାରତୀୟ ଫ୍ୟାନ୍ସଙ୍କୁ ବହୁତ କିଛି ମନେ ପକାଇ ଦେଇଛି । କାରଣ ଠିକ ୨ ବର୍ଷ ପୂର୍ବେ ଏହି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ହିଁ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ଭାରତର ସୁପରଷ୍ଟାର ବିରାଟ କୋହଲି । ତେବେ ଏହି ସିରିଜ ଘୋଷଣା ପରେ ସମସ୍ତ କ୍ରିକେଟପ୍ରେମୀ ମାନଙ୍କର ସେଦିନର କଥା ମନେ ପଡ଼ିଯାଇଛି ।

ତେବେ ସେଦିନ କୋହଲି ନେତୃତ୍ୱ ଛାଡ଼ିବା ପରେ ବିରାଟ ଏବଂ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଥିଲା । କାରଣ ସେ ସମୟରେ ବିସିସିଆଇର ଅଧ୍ୟକ୍ଷ ପଦରେ ରହିଥିଲେ ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି । ତେବେ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଗାଙ୍ଗୁଲି ଏବଂ ବିରାଟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା । ଯେଉଁଥିପାଇଁ ଗାଙ୍ଗୁଲି ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଥିବା ଆଲୋଚନା ହେଉଥିଲା । ଏହାପରେ ଗାଙ୍ଗୁଲି ଏବଂ ବିରାଟ କୋଲିଙ୍କ ମଧ୍ୟରେ ଏହି ବିବାଦ ଦିନକୁ ଦିନ ବଢି ଚାଲିଥିଲା । ଉଭୟ ଖେଳାଳିଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ପରସ୍ପରକୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନଥିଲେ । ତେବେ ଏହି ଘଟଣାକୁ ୨ ବର୍ଷ ବିତି ଯାଇଥିବା ବେଳେ ବର୍ତ୍ତମାନ କୋହଲିଙ୍କ ନେତୃତ୍ୱ ଏବଂ ସେଦିନର ଘଟଣା ଉପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

ସେ କହିଛନ୍ତି ଯେ, ସେଦିନ ମୁଁ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ନଥିଲି । ସେ ୨୦୨୧ ଟି-୨୦ ବିଶ୍ୱକପ ପରେ ଟି-୨୦ ଫର୍ମାଟରୁ ନେତୃତ୍ୱ ଛାଡ଼ି ସାରିଥିଲେ । ତେଣୁ ତାଙ୍କୁ କୁହାଯାଇଥିଲା ଯେ, ଏମିତି ହେଲେ, ତାଙ୍କୁ ଦିନିକିଆ ଫର୍ମାଟରୁ ମଧ୍ୟ ଅଧିନାୟକ ପଦ ଛାଡ଼ିବା ଉଚିତ୍ । କାରଣ ସୀମିତ ଓଭର କ୍ରିକେଟରେ ୨ ଜଣ ଅଧିନାୟକ ଦାୟିତ୍ୱ ନେଇ ପାରିବେ ନାହିଁ । କିନ୍ତୁ ଟେଷ୍ଟ ଏବଂ ଦିନିକିଆରେ ଅଧିନାୟକ ଦାୟିତ୍ୱ ନେବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବିସିସିଆଇ କୋହଲିଙ୍କ ଏହି ନିଷ୍ପତ୍ତିରେ ଖୁସି ନଥିଲା । କାରଣ ବିସିସିଆଇ ଚାହୁଁଥିଲା ଯେ, ଯଦି ଅଧିନାୟକ ଅଲଗା ରହିବେ ତେବେ ଟେଷ୍ଟ ଏବଂ ସୀମିତ ଓଭରରେ ଜଣେ ଜଣେ ଦାୟିତ୍ୱ ନେଇ ପାରିବେ । କିନ୍ତୁ ସୀମିତ ଓଭରରେ ଦିନିକିଆ ଏବଂ ଟି-୨୦ ପାଇଁ ଅଲଗା ଅଲଗା ଅଧିନାୟକଙ୍କୁ ଦାୟିତ୍ୱ ଦିଆଯାଇ ପାରିବ ନାହିଁ ।

ତେବେ କୋହଲିଙ୍କ ହାତରୁ ଦିନିକିଆ ଅଧିନାୟକ ପଦ ଫେରାଇ ନେଇଥିଲା ବିସିସିଆଇ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଟେଷ୍ଟ ଦଳର ନେତୃତ୍ୱ ପଦରୁ ମଧ୍ୟ ଇସ୍ତପା ଦେଇଥିଲେ କିଙ୍ଗ କୋହଲି । ବିରାଟଙ୍କ ପରେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ସବୁ ଫର୍ମାଟରେ ଅଧିନାୟକ ପଦ ଦିଆଯାଇଛି ।

Get real time updates directly on you device, subscribe now.