fbpx

ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା INDIA ମେଣ୍ଟ’ର ଦିଲ୍ଲୀ ବୈଠକ, ବିଜେପିର ବିଜୟ ପରେ ବିରୋଧୀ ଅସ୍ଥିର!

ଓଡିଶା ଭାସ୍କର: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। କାରଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର(ଜେଡିୟୁ), ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(ଟିଏମସି), ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ(ଜେଏମଏମ)ଙ୍କ ଭଳି ପ୍ରମୁଖ ନେତା ଏହି ବୈଠକରେ ଯୋଗଦେବାକୁ ମନା କରି ଦେଇଛନ୍ତି।

ନୀତିଶ ଏବଂ ଅଖିଳେଶଙ୍କ ପୂର୍ବରୁ ପ୍ରଥମେ ମମତା ବାନାର୍ଜୀ ବୈଠକରେ ଯୋଗ ଦେବାକୁ ମନା କରବା ସହିତ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଥିଲେ। ସେ କହିଥିଲେ କେହି ମୋତେ ଏହି ବୈଠକ ବିଷୟରେ କିଛି କହି ନାହାନ୍ତି। ରାଜ୍ୟରେ ବର୍ତ୍ତମାନ ଆଗାମୀ ୬ ରୁ ୭ ଦିନ ଯାଏ ମୋର ବିଭିନ୍ନ କାର୍ୟ୍ୟକ୍ରମ ରହିଛି। ତେଣୁକରି ବୈଠକ ପାଇଁ ଡାକିଲେ ମଧ୍ୟ ଯୋଗ ଦେବା ସମ୍ଭବ ହେବ ନାହିଁ। ହେଲେ ବିଜେପିର ୩ ପ୍ରମୁଖ ରାଜ୍ୟରେ ବିଜୟକୁ ନେଇ ବିରୋଧୀ “ଇଣ୍ଡିଆ” ମେଣ୍ଟର ସହଯୋଗୀ ମାନେ ଅସ୍ଥିର ହୋଇପଡିଥିବା ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ବିରୋଧୀ “ଇଣ୍ଡିଆ” ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। କାରଣ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ କେବଳ ଗୋଟିଏ ରାଜ୍ୟ ଅର୍ଥାତ ତେଲେଙ୍ଗାନାରେ କ୍ଷମତାକୁ ଆସିଛି କଂଗ୍ରେସ। ଯେଉଁଥିରେ “ଇଣ୍ଡିଆ” ମେଣ୍ଟର ଆସନ ଭାଗବଣ୍ଟା ସମସ୍ୟା ଛିଡି ପାରିନଥିବାରୁ ୩ ପ୍ରମୁଖ ରାଜ୍ୟରେ ବିପକ୍ଷ ବିଜେପିର ବଡ଼ ବିଜୟ ହୋଇଥିବା କୁହାଯାଉଛି। ତେବେ “ଇଣ୍ଡିଆ” ମେଣ୍ଟର ପ୍ରମୁଖ ଦାୟିତ୍ୱ ନେଉଥିବା ଜାତୀୟ ଦଳ କଂଗ୍ରେସ ଆସନ ଭାଗବଣ୍ଟାରେ ଧ୍ୟାନ ଦେଉନଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ କିଛି ଆଞ୍ଚଳିକ ଦଳ ଏନେଇ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି।

ସୂଚନା ଥାଉକି, ବିରୋଧୀ ଦଳର ନେତାମାନେ କ୍ରମାଗତ ଭାବରେଆସନ ଭାଗବଣ୍ଟା ନେଇ ‘ଇଣ୍ଡିଆ’ ମେଣ୍ଟର ବୈଠକ ଡାକିବାକୁ ଦାବି କରୁଥିଲେ। ହେଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ୫ ଟି ରାଜ୍ୟରେ ନିର୍ବାଚନ ଦର୍ଶାଇ ଏହାକୁ ସ୍ଥଗିତ ରଖିଥିଲେ। ଶେଷରେ ରବିବାର ଦିନ ଚାରୋଟି ରାଜ୍ୟରେ ଘୋଷିତ ଫଳାଫଳ ମଧ୍ୟରେ ଖାର୍ଗେ ଡିସେମ୍ବର ୬ ରେ ‘ଇଣ୍ଡିଆ ମେଣ୍ଟ’ର’ ଏକ ବୈଠକ ଡାକିଥିଲେ। ଯେଉଁଥିରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ପ୍ରମୁଖ ରାଜ୍ୟରେ ବିଜେପିର ଏକ ବଡ଼ ବିଜୟ ହୋଇଛି। ତେବେ ବିଜେପିର ଏହି ବିଜୟ ପରେ ଜାତୀୟ ରାଜନୀତିରେ ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି। ବିଶେଷକରି ବିଜେପିକୁ କ୍ଷମତାରୁ ହଟାଇବା ଲାଗି ମେଣ୍ଟ ବାନ୍ଧିଥିବା ସମସ୍ତ ମୋଦୀ ବିରୋଧୀ ଦଳ ଅସ୍ଥିର ହୋଇପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.