ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ପିଲା ପାଠପଢାକୁ ଖୁବ କମ୍ ଗୁରୁତ୍ୱ ଦେଉଛନ୍ତି । ବର୍ଷ ତମାମ ମଉଜ-ମଜଲିସ କରୁଥିବା ବେଳେ ପରୀକ୍ଷା ବେଳେ ଅଜବ କାଣ୍ଡ କରିଥାନ୍ତି । କପି ଭରସାରେ ବର୍ଷ ବର୍ଷ ବିତାଇ ଦେଉଛନ୍ତି ପିଲା । ସେହିପରି ଅନେକ ପିଲା ପରୀକ୍ଷା ଖାତାରେ ଏଣୁ ତେଣୁ ଲେଖୁଥିବା ମଧ୍ୟ ଦେଖିବାକୁ ମିଳୁଛି । ପରୀକ୍ଷା ଖାତାରେ ପିଲାଏ ଏମିତି ଜିନିଷ ଲେଖି ଦେଉଛନ୍ତି, ଯାହାକୁ ଦେଖିଲେ ଶିକ୍ଷକ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି । ଏହଭଳି ଅନେକ ଫଟୋ ବିଭିନ୍ନ ସମୟରେ ଭାଇରାଲ ହୋଇଥାଏ । ସେହିପରି ଜଣେ ଛାତ୍ର ନିଜ ପରୀକ୍ଷା ଖାତାରେ ଉତ୍ତର ଲେଖିବା ବଦଳରେ ନିଜ ପ୍ରେମିକା ପୂଜାଙ୍କ ନାଁରେ ପ୍ରେମପତ୍ର ଲେଖି ଦେଇଛନ୍ତି ।
ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷାରେ ଜଣେ ଛାତ୍ରଙ୍କ ପରୀକ୍ଷା ଖାତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜ ପରୀକ୍ଷା ଖାତାରେ ଉତ୍ତର ଲେଖିବା ପରିବର୍ତ୍ତେ ଛାତ୍ରଜଣକ ପ୍ରେମିକାଙ୍କ ନାଁରେ ପ୍ରେମପତ୍ର ଏବଂ ଲଭ୍ ଶାୟରୀ ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ୟେ ମୋହବତ୍ ଭି କ୍ୟା ଚିଜ୍ ହୈ, ନା ଜିନେ ଦେତି ହୈ ନା ମରନେ ଦେତି ହେ… ୟେ ଦୁଆ କରୋ ବୋ ନ ମିଲେ ତୋ ମେ ମର ଯାଉଁ… ।’ ଏଭଳି ଆହୁରି ଅନେକ ଶାୟରୀ ଲେଖି ଖାତା ଫୁଲ କରି ଦେଇଛନ୍ତି ଏହି ଛାତ୍ର ଜଣକ । ଏହାପରେ ଶେଷରେ ସେ ଲେଖିଛନ୍ତି ଯେ, ସାର୍, ଏହି ଲଭ୍ ଷ୍ଟୋରୀ ପାଠପଢାରୁ ଦୂରେଇ ଦେଲା । ନଚେତ୍ ମୁଁ ହାଇସ୍କୁଲ ପର୍ଯ୍ୟନ୍ତ ଖୁବ ଭଲ ପଠା ପଢୁଥିଲି । ସାର୍ ଏହାକୁ ଲେଖିଥିବାରୁ ଭେରି ଭେରି ସରି… ।’ ଏହାକୁ ଦେଖି ଶିକ୍ଷକ ତାଜୁବ ହୋଇଗଲେ ଏବଂ ଖାତାର ଏକ ଫଟୋ ଉଠାଇଥିଲେ ।
ଖାତା ଦେଖୁଥିବା ଶିକ୍ଷକ ଏହି ଖାତାରେ ଲାଲ କଲମରେ ଗାର ଟାଣି ଦେଇଥିଲେ । ଏହି ଖାତାର ଏକ ପୃଷ୍ଠା ଏବେ ଖୁବ ଭାଇରାଲ ହେଉଛି । ଏହି ପୃଷ୍ଠାରେ ଲେଖା ହୋଇଛି ଯେ, ଆଇ ଲଭ୍ ମାଇଁ ପୂଜା । ଏହାସହିତ ପାନପତ୍ର ଏବଂ ତୀର ଚିହ୍ନ କରି ସେ ନିଜ ପ୍ରେମକୁ ଜାହିର କରିଛନ୍ତି । ପରୀକ୍ଷାରେ କୌଣସି ପ୍ରଶ୍ନର ଉତ୍ତର ନ ଆସିବା ପରେ ଜଣେ ଛାତ୍ର ଏମିତି ବି ଉତ୍ତର ଲେଖିପାରେ । ଏହାକୁ ଦେଖି ଶିକ୍ଷକ ନିଜକୁ ନିଜେ ବିଶ୍ୱାସ କରିପାରି ନାହାନ୍ତି । ସୋସିଆଲ ମିଡିଆରେ ଏହାର ଫଟୋ ଏବେ ଖୁବ ଭାଇରାଲ ହେଉଥିବା ବେଳେ ୟୁଜର୍ସ ଏହାକୁ ନେଇ ଖୁବ ମଜା ଲୁଟୁଛନ୍ତି ।