fbpx
BJD
BJD SKY
BJD SKY

ମୋଦୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ, ମୁଁ ହୃଦୟରୁ କିଛି କହିବାକୁ ଚାହୁଁଛି ; ରାହୁଲ ଗାନ୍ଧୀ

ଓଡିଶା ଭାସ୍କର; ଦୀର୍ଘଦିନର ବ୍ୟବଧାନ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କର ସଂସଦ ସଦସ୍ୟତା ଫେରି ପାଇଛନ୍ତି । ଦିଲ୍ଲୀ ସର୍ଭିସ ରୁଲ ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଭିଭାଷଣ ରଖିନଥିବା ବେଳେ ଆଜି ପ୍ରଥମ ଥର ପାଇଁ ସେ ଲୋକସଭାରେ ମୋଦୀ ସରକାରଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।

ପୁଣିଥରେ ସଂସଦ ସଦସ୍ୟତା ଫେରି ପାଇଥିବାରୁ ସେ ପ୍ରଥମେ ଗୃହର ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାପରେ ରାହୁଲ କହିଛନ୍ତି ଯେ, ଆଜି ବିଜେପି ନେତାଙ୍କ ଉପରେ ମୁଁ ସେତେଟା ଆକ୍ରମଣ କରିବି ନାହିଁ ଏଣୁ ସେମାନେ ଶାନ୍ତ ରହିପାରନ୍ତି । ଆଜି ମୁଁ ହୃଦୟରୁ କିଛି କହିବାକୁ ଚାହୁଁଛି । ପଦେ ଦି ପଦ କଥା କହିବି କିନ୍ତୁ ବେଶୀ ସମସ୍ୟାରେ ପକାଇବି ନାହିଁ । ଏହାପରେ ରାହୁଲ ତାଙ୍କ ଭାରତ ଯୋଡ ଯାତ୍ରା ପ୍ରସଙ୍ଗରେ କହିବା ଆରମ୍ଭ କରିଥିଲେ ।

ରାହୁଲ କହିଛନ୍ତି, ଗତବର୍ଷ ୧୩୦ ଦିନ ପାଇଁ ମୁଁ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ ଯାଇଥିଲି । ଏଯାଏଁ ବି ମୋର ଏହି ଭାରତ ଯୋଡ ଯାତ୍ରା ଶେଷ ହୋଇ ନାହିଁ । ଏହି ଯାତ୍ରାରେ ଯିବା ବେଳେ ମତେ ଅନେକ ଲୋକ ପଚାରିଥିଲେ ,ରାହୁଲ ତୁମେ କାହିଁକି ଚାଲୁଛ? ଏହା ପଛରେ ତୁମର ଲକ୍ଷ୍ୟ କଣ ? ସେମାନଙ୍କର ଏହି ପ୍ରଶ୍ନର ଉତ୍ତର ପ୍ରଥମେ ମୋ ପାଖରେ ନଥିଲା । କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରି ମୁଁ କେବଳ ଲୋକଙ୍କ ପାଖକୁ ଯିବାକୁ ଚାହୁଁଥିଲି । ଯାତ୍ରାର କିଛି ଦିନ ଭିତରେ ଏହାର ଉତ୍ତର ମତେ ମିଳିଥିଲା । ଯେଉଁଥିଲାଗି ମୁଁ ମରିବାକୁ ମଧ୍ୟ ପ୍ରସ୍ତୁତ ଥିଲି,ମୋଦୀଙ୍କ ଜେଲ ଯିବାକୁ ପ୍ରସ୍ତୁତ ଥିଲି ଆଉ ଯେଉଁଥି ପାଇଁ ମୁଁ ୧୦ବର୍ଷ ହେଲାଣି ପ୍ରତିଦିନ ଗାଳି ଖାଇଛି ତାହା ବୁଝିବାକୁ ଚେଷ୍ଟା କରିଥିଲି ।

ଏହି ଭାରତ ଯୋଡ ଯାତ୍ରା ଆରମ୍ଭ ପୂର୍ବରୁ ମୁଁ ଦୈନିକ ୮-୧୦ କିଲୋମିଟର ଦୌଡୁଥିଲି, ତେଣୁ ଭାରତ ଯୋଡ ଯାତ୍ରା ଏତେ କଷ୍ଟଦାୟକ ନୁହେଁ ବୋଲି ମୁଁ ଭାବୁଥିଲି । ହେଲେ ଏହା ମୋର ଅହଙ୍କାର ଥିଲା । ଶେଷର ୨-୩ ଦିନ ଚାଲିବା ପରେ ମୋ ଆଣ୍ଠୁରେ କଷ୍ଟ ଅନୁଭବ ହୋଇଥିଲା । ଆଉ ଏହା ହିଁ ମୋର ଅହଙ୍କାରକୁ ଭାଙ୍ଗିଥିଲା । ଭାରତ ହେଉଛି ଏମିତି ଏକ ଦେଶ ଯାହା ଗୋଟିଏ ସେକେଣ୍ଡରେ ଅହଙ୍କାରକୁ ଭାଙ୍ଗି ଦେଇଥାଏ । ଯିଏ ଭାରତକୁ ଅହଙ୍କାର ଦୃଷ୍ଟିରେ ଦେଖିବାକୁ ବାହାରିଥିଲା ତାହାର ଅହଙ୍କାର ସେହିଠାରେ ହିଁ ଭାଙ୍ଗି ଯାଇଥିଲା । ଏହି ଯାତ୍ରାରେ ଚାଲିବାକୁ ମତେ ବହୁତ କଷ୍ଟ ହେଉଥାଏ କିନ୍ତୁ ଯାତ୍ରାର ପ୍ରତି କ୍ଷଣରେ କେହି ମୋତେ ସାହସ ଦେଉଥିଲେ । ଏପରିକି ମୋର ଯାତ୍ରାରେ ଆସି ଜଣେ କୁନି ଝିଅ ମତେ ଚିଠି ଦେଇଥିଲେ ଆଉ ସେ ଲେଖିଥିଲେ “ରାହୁଲ ତୁମେ ଆଦୌ ବ୍ୟସ୍ତ ହୁଅନି ମୁଁ ତୁମ ସହ ଚାଲୁଛି” । ଏହି କୁନି ଝିଅ ଭଳି ଅନେକ ଲୋକଙ୍କ ସମର୍ଥନ ମତେ ଚାଲିବାକୁ ସାହସ ଦେଇଥିଲା । ଯାତ୍ରା ସମୟରେ ଚାଷୀଙ୍କ ସମସ୍ୟା ସହ ଅନେକ ଲୋକଙ୍କ ସମସ୍ୟା ପାଖରୁ ଦେଖିଛି ଓ ଶୁଣିଛି । ଯେତେବେଳେ ଯାତ୍ରାରେ ଅନେକ ଭିଡ଼ ହେଉଥିଲା ସେତେବେଳେ ମତେ କେବଳ ତାଙ୍କରି ସମସ୍ୟା ଶୁଭୁଥିଲା । ଆଉ ଏହି ଠାରୁ ମୁଁ ମୋ ଯାତ୍ରାର ଲକ୍ଷ୍ୟ କଣ ତାହା ଜାଣିବାକୁ ପାଇଥିଲି । ଯଦି ଲୋକଙ୍କ ଦୁଃଖ ଶୁଣିବାରେ ଅଛି ତେବେ ନିଜ ମନରେ ଥିବା ଅହଙ୍କାର,ସ୍ୱପ୍ନକୁ ତ୍ୟାଗ କରିବାକୁ ପଡିବ ।

ଅନ୍ୟପଟେ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ , ସେ କହିଛନ୍ତି ମଣିପୁରରେ ଭାରତ ମାତାକୁ ହତ୍ୟା କରାଯଇଛି । ନିକଟରେ ମୁଁ ମଣିପୁରକୁ ଯାଇଥିଲି କିନ୍ତୁ ପ୍ରଧାନମନ୍ତ୍ରୀ ଏଯାଏଁ ସେଠାକୁ ଗସ୍ତ କରିନାହାନ୍ତି । ଭାରତର ସ୍ୱରକୁ ଆପଣ ସେଠାରେ ମାରିଛନ୍ତି । ଆପଣ ମଣିପୁର ଭଳି ସାରା ଦେଶର ସବୁ ସ୍ଥାନକୁ ମାରି ଚାଲିଛନ୍ତି । ଏଭଳି ବିଭିନ୍ନ କଥା ରାହୁଲ କହୁଥିବା ବେଳେ ରାହୁଲଙ୍କୁ ପାଲଟା ଆକ୍ରମଣ କରିଛନ୍ତି ବିଜେପି ସାଂସଦ ସ୍ମୃତି ଇରାନୀ ।

 

Get real time updates directly on you device, subscribe now.