fbpx

ଆଇସିସି ବିଶ୍ୱକପ୍-୨୦୨୩ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଦଳ ଘୋଷିତ: ଅଶ୍ୱିନଙ୍କୁ ସାମିଲ, ଅକ୍ଷରଙ୍କୁ ବାଦ

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭାରତ ଦ୍ୱାରା ଆୟୋଜିତ ଦିନିକିଆ ବିଶ୍ୱକପ୍ । ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହାପୂର୍ବରୁ ଦୁଇ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବେ ସମସ୍ତ ୧୦ଟି ଟିମ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସ୍କ୍ବାଡ୍ ଘୋଷଣା କରିସାରିଛନ୍ତି ସବୁ ଦେଶ । ଭାରତ ମଧ୍ୟ ପୂର୍ବରୁ ନିଜ ସ୍କ୍ବାଡ୍ ଘୋଷଣା କରିଥିବା ବେଳେ ପୁଣି ଏବେ ଏଥିରେ ପରିବର୍ତ୍ତନ ଆଣିଛି ଟିମ୍। ପରିବର୍ତ୍ତନ ପରେ ଆହତ ହୋଇଥିବା ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଟିମରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଦଳରେ ସାମିଲ କରାଯାଇଛି। ପୂର୍ବରୁ ଅଶ୍ୱିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଓଡିଆଇ ସିରିଜରେ ମଧ୍ୟ ସୁଯୋଗ ଦିଆଯାଇଥିଲା, ଯେଉଁଠାରେ ସେ ଭଲ ପ୍ରଦର୍ଶନ କରିଥିଲେ।

ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡରେ ସାମିଲ ହୋଇଥିବା କ୍ରିକେଟରମାନେ ହେଲେ, ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା, ଶୁଭମନ ଗିଲ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟସ୍ ଅୟର, ରବିନ୍ଦ୍ର ଜାଦେଜା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର। ତେବେ ଭାରତୀୟ ଦଳକୁ ବିଶ୍ୱକପ ପୂର୍ବରୁ ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ସେପ୍ଟେମ୍ବର ୩୦ରେ ଦଳକୁ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ହେବ। ଏଥିପାଇଁ ଅଶ୍ୱିନଙ୍କ ସମେତ ପୁରା ଦଳ ଗୌହାଟୀରେ ପହଞ୍ଚିସାରିଛନ୍ତି ।

Get real time updates directly on you device, subscribe now.