ନୂଆଦିଲ୍ଲୀ: ଆଜିକାଲି ଅନଲାଇନ କାରବାର ବୃଦ୍ଧି ପାଇବା ସହ ଠକାମି ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଡିଜିଟାଲ ଆମ ସମସ୍ତଙ୍କର ଦୈନନ୍ଦିନ କାର୍ଯ୍ୟକୁ ସହଜ ଓ ସୁଗମ କରିଥିଲେ ହେଁ ଅନେକ ଅସୁବିଧାରେ ମଧ୍ୟ ପକାଇଥାଏ । ତେଣୁ ଏଥିରୁ ବର୍ତ୍ତିବାକୁ ହେଲେ ଆପଣଙ୍କୁ ଅନଲାଇନ ବିଷୟରେ କିଛି ଜ୍ଞାନ ଆହଣଣ କରିବା ସହ ସତର୍କତା ଅବଲମ୍ବନ କରିବା ଦରକାର । ଅନଲାଇନ୍ ଟ୍ରାଞ୍ଜାକସନ ସମୟରେ ଓଟିପି ହେଉଛି ଏକ ମୁଖ୍ୟ ସମସ୍ୟା । ଯଦି ଆପଣଙ୍କ ମୋବାଇଲକୁ ଓଟିପି ଆସୁନାହିଁ, ତେବେ ଏ କ୍ଷେତ୍ରରେ ଜମାରୁ ଅବହେଳା କରନ୍ତୁ ନାହିଁ । ଆପଣ ବଡ଼ ଧରଣର ଠକାମିର ଶିକାର ହୋଇପାରନ୍ତି । ଅନଲାଇନ୍ ଟ୍ରାଞ୍ଜାକସନ୍ ପାଇଁ ଗ୍ରାହକଙ୍କ ପାଖକୁ ଓଟିପି ଆସିଥାଏ । ଏହାସହିତ ଅନ୍ୟ କାର୍ଯ୍ୟ ପାଇଁ ମଧ୍ୟ ଓଟିପି ଜରୁରୀ ହୋଇଥାଏ । ଯଦି ଆପଣଙ୍କ ମୋବାଇଲକୁ ଓଟିପି ଆସୁନାହିଁ, ତେବେ ଏହି ସମସ୍ୟାକୁ ଆପଣ ଜଲଦି ସମାଧାନ କରିବା ଆବଶ୍ୟକ । କାରଣ ଅନେକ କ୍ଷେତ୍ରରେ ସାଇବର କ୍ରିମିନାଲ ଆପଣଙ୍କର ମୋବାଇଲ ସିମକୁ କ୍ଲୋନ୍ ତିଆରି କରିଥାନ୍ତି । ଏହାଦ୍ୱାରା ଓଟିପି ଠକ ମୋବାଇଲକୁ ଚାଲିଯାଇଥାଏ । ଏହାକୁ ଆୟୁଧ କରି ଠକମାନେ ସହଜରେ ଆପଣଙ୍କୁ ଚୁନା ଲଗାଇବାରେ ସକ୍ଷମ ହୋଇଥାନ୍ତି ।
ଯଦି ଆପଣଙ୍କ ମୋବାଇଲକୁ ଓଟିପି ଆସୁନାହିଁ, ତେବେ ଆପଣ ଏସବିଆଇକୁ ଟ୍ୟାଗ୍ କରି ଟ୍ୱିଟ୍ କରିପାରିବେ । ଏହାପରେ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ଜବାବ ଦିଆଯିବା ସହ ଓଟିପିର ପୂରା ପ୍ରୋସେସ୍ ବିଷୟରେ ଅବଗତ କରାଯିବ । ତେବେ ଏସବିଆଇ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ, ଅନେକ ସମୟରେ ନେଟୱାର୍କ ଖରାପ କାରଣରୁ ଓଟିପି ଆସିପାରିନଥାଏ । ଯଦି ଏହି ସମସ୍ୟା ନେଟୱାର୍କ କାରଣରୁ ହୋଇନଥାଏ, ତେବେ ଆପଣ ଅଭିଯୋଗ ଦାଖଲ କରିପାରନ୍ତି । ଆପଣଙ୍କର ଆକାଉଣ୍ଟ ଥିବା ବ୍ୟାଙ୍କ ଶାଖାକୁ ଯାଇ ଏ ବିଷୟରେ ଆଲୋଚନା କରିପାରିବେ । ଏହା ସହିତ ଆପଣ କିଛି ସାଧାରଣ ଦିଗ ପ୍ରତି ଧ୍ୟାନ ଦେଇପାରିବେ । ମୋବାଇଲକୁ ରିଷ୍ଟାର୍ଟ କରିବା, ଅନ୍ୟ ଜଣଙ୍କୁ ଟେକ୍ସଟ ମେସେଜ୍ ପଠାଇବା, କଷ୍ଟମର କେୟାରକୁ ନେଟୱାର୍କ ବିଷୟରେ ପଚାରିବା, ବ୍ଲକ୍ ଲିଷ୍ଟ ଚେକ୍ କରିବା, ଇନକମିଂ ପ୍ଲାନ୍ ଚେକ୍ କରିବା ଆଦି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଦରକାର ।